ସ୍ୱାମୀଙ୍କ ପୋଷାକରେ ଲୁଚି ରହିଛି ସୁଖ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ବୈବାହିକ ଜୀବନରେ କଳି, ଝଗଡା ମନାନ୍ତର ଏକ ସାଧାରଣ ଘଟଣା । କିନ୍ତୁ ଏସବୁ ଅଧିକ ହୋଇଗଲେ ଦାମ୍ପତ୍ୟ ଜୀବନକୁ ଦୁର୍ବିସହ କରିଦିଏ । ମୁଖ୍ୟତଃ ମହିଳା ମାନେ ପୁରୁଷଙ୍କ ତୁଳନାରେ ଅଧିକ ଭାବପ୍ରବଣ ହୋଇଥିବାରୁ ସେମାନେ ଅଧିକ ଚିନ୍ତାଗ୍ରସ୍ତ ହୋଇଥାନ୍ତି । ଏହି ଚିନ୍ତା ଦୂର କରିବାକୁ ଲୋକେ କେତେ କଣ କରୁଛନ୍ତି । କିନ୍ତୁ ଫଳ କିଛି ମିଳୁନାହିଁ । ତେବେ ମହିଳାଙ୍କ ପାଇଁ ଖୁସି ଖବର । ଏହି ଚିନ୍ତା ନାମକ ରାକ୍ଷସକୁ ଦମନ କରିବାର ଏକ ସହଜ ବାଟ ମିଳିଛି । ଏକ ଅନୁସନ୍ଧାନରୁ ଜଣାପଡିଛି କି ସ୍ୱାମୀଙ୍କ ସାର୍ଟ ବା ଟି ସର୍ଟରେ ମହିଳାଙ୍କ ସୁଖୀ ଜୀବନର ରହସ୍ୟ ଲୁଚି ରହିଛି ।
କାନାଡାର ୟୁବିସି ବିଭାଗର ମନୋବୈଜ୍ଞାନିକ ଛାତ୍ର ଥିବା ମାର୍ଲିସ ହୋଫର ଏକ ଅନୁସନ୍ଧାନରୁ ସ୍ପଷ୍ଟ କରିଛନ୍ତି କି, ପାର୍ଟନରଙ୍କ ସାର୍ଟର ବାସ୍ନା ଏତେ ଶକ୍ତିଶାଳୀ ହୋଇଥାଏ କି ଏହା ଆପଣଙ୍କ ଚିନ୍ତାକୁ ମିନଟକ ଭିତରେ ଦୂର କରି ଦିଏ । ଅନୁସନ୍ଧାନ ପାଇଁ ବୈଜ୍ଞାନିକ ୯୬ ଯୋଡିଙ୍କୁ ନେଇ ତାଙ୍କ ପ୍ରୟୋଗ କରିଥିଲେ । ପୁରୁଷଙ୍କୁ ଗୋଟିଏ ଟି ସର୍ଟ ୨୪ ଘଣ୍ଟା ପିନ୍ଧିବାକୁ ଦିଆଗଲା । ସେଥିରେ କୌଣସି ଡିଓଡ୍ରେଣ୍ଟ, ସେଣ୍ଟ ବା ସୁବାସିତ ସାମଗ୍ରୀର ପ୍ରୟୋଗ କରିବାକୁ ଦିଆଯାଇ ନ ଥିଲା । ସେହି ଟି ସର୍ଟକୁ ମହିଳାଙ୍କୁ ସୁଙ୍ଘିବାକୁ ଦିଆଗଲା । ସେମାନଙ୍କ ବିନା ଜାଣତରେ କିଛି ମହିଳାଙ୍କୁ ସେମାନଙ୍କ ସ୍ୱାମୀଙ୍କ ସାର୍ଟ ଦିଆଗଲା, ଯେତେବେଳେ କିଛିଙ୍କୁ ଅନ୍ୟ ପୁରୁଷଙ୍କ ସାର୍ଟ ଦିଆଗଲା ।
ଏହା ପରେ ମହିଳାଙ୍କ ଚିନ୍ତାର ସ୍ତରକୁ ମପାଗଲା । ଯେଉଁ ମହିଳାଙ୍କୁ ସେମାନଙ୍କ ସ୍ୱାମୀଙ୍କ ସାର୍ଟ ସୁଙ୍ଘିବାକୁ ଦିଆଯାଇଥିଲା ସେମାନଙ୍କ ଚିନ୍ତାର ସ୍ତର କମି ଯାଇଛି । ଯେତେବେଳେ କି, ଅନ୍ୟ ଯେଉଁମାନଙ୍କୁ ସ୍ୱାମୀ ଭିନ୍ନ ଅନ୍ୟ ପୁରୁଷଙ୍କ ସାର୍ଟ ଦିଆଯାଇଥିଲା ସେମାନଙ୍କ ଚିନ୍ତା ପୂର୍ବବତ୍ ରହିଛି । ଏହାପରେ ଅନୁସନ୍ଧାନକାରୀ ଦଳ ଏହି ଚୂଡାନ୍ତରେ ଉପନୀତ ହୋଇଥିଲେ କି, ସ୍ୱାମୀଙ୍କ ପୋଷାକରେ ସୁଖୀ ଦାମ୍ପତ୍ୟ ଜୀବନର ରାଜ ଲୁଚି ରହିଥାଏ ।