ମୁମ୍ବାଇ : ସଲମାନ ଖାନ ଗୋଟିଏ ଏପରି ଏକ ନାଁ ଯାହାର କୌଣସି ପରିଚୟର ଆବଶ୍ୟକତା ନାହିଁ | ଧମାକାଦାର ଆକ୍ସନ ସାଙ୍ଗକୁ ଫୁଲ ରୋମାନ୍ସ | ତା ସାଙ୍ଗକୁ ଚୁଲବୁଲ ପାଣ୍ଡେର ସ୍ୱାଗ | ବଲିଉଡ୍ର ଭାଇଜାନ କହିଦେଲେ ହିଁ କାଫି | ତେବେ ଆଜି ହେଉଛି ବଲିଉଡ୍ର ଭାଇଜାନ୍ ସଲମାନ୍ ଖାନଙ୍କ ଜନ୍ମଦିନ। 57 ତମ ଜନ୍ମ ଦିନ ପାଳନ କରୁଛନ୍ତି ଭାଇଜାନ | ଭାଇଜାନ ଜନ୍ମ ଦିନକୁ ନେଇ ଯେତିକି ଉତ୍ସାହ ସେ ନିଜେ ଥାନ୍ତି ତା ଠୁ ଢେର ଅଧିକ ଉତ୍ସାହ ଥାନ୍ତି ତାଙ୍କ ଫ୍ୟାନ୍ସ | ଆକ୍ସନ ଠୁ ଆରମ୍ଭ କରି କମେଡି ପର୍ଯ୍ୟନ୍ତ କେହି ତାଙ୍କ ସମକକ୍ଷ ହୋଇପାରିନାହାନ୍ତି | ୨୭ ଡିସେମ୍ବର ୧୯୬୫ରେ ଜନ୍ମ ହୋଇଥିଲେ ବଲିଉଡର ଭାଇଜାନ | ଏବଂ 1988 ମସିହାରେ ଡେବ୍ୟୁ କରିବା ଦିନଠୁ ଲୋକଙ୍କ ହୃଦୟରେ ରାଜ କରିଛନ୍ତି ସଲମାନ |
ତେବେ ଭାଇଜାନଙ୍କ ବିଷୟରେ ଏମିତି ଅନେକ କିଛି ଅଛି ଯାହା ହୁଏତ ସାଧାରଣ ଲୋକଙ୍କୁ ଅଜଣା। ଯେମିତିକି ସଲମାନ ଖାନ ପିଲାଦିନେ ଖୁବ୍ ଦୁଷ୍ଟ ଥିଲେ। ତାଙ୍କୁ ଯେତେବେଳେ ୬ ବର୍ଷ ହୋଇଥିଲା ଦିପାବଳୀ ଦିନ ତାଙ୍କ ବାପାଙ୍କ ଦରମା ଟଙ୍କା ପୋଡି ଦେଇଥିଲେ ସଲମାନ । ସବୁଠୁ ବଡ କଥା ହେଉଛି ସଲମାନ ଖାନ କୌଣସି ଅଭିନେତ୍ରୀଙ୍କୁ କିସ୍ କରନ୍ତି ନାହିଁ କି କୌଣସି ଫିଲ୍ମରେ ଭିଲେନ୍ ଭୂମିକାରେ ଅଭିନୟ କରନ୍ତି ନାହିଁ। ଜଣେ ସଫଳ ଅଭିନେତା ହୋଇଥିଲେ ମଧ୍ୟ ସଲମାନ ୩ ବଖରା ବିଶିଷ୍ଟ ଆପାର୍ଟମେଣ୍ଟରେ ରୁହନ୍ତି। ସେ ତାଙ୍କ ବାପାମାଆଙ୍କ ସହିତ ରୁହନ୍ତି। ସେ ସେମାନଙ୍କ ବିନା ରହିବାକୁ ପସନ୍ଦ କରନ୍ତି ନାହିଁ। ସେଥିପାଇଁ ସେମାନେ ଗୋଟିଏ ଘରେ ରୁହନ୍ତି।
ତେବେ ୧୯୯୧ ମସିହା ଫିଲ୍ମ ସାଜନ ସମୟରେ ସଲମାନ୍ ଖାନ୍ ଖୁବ୍ ପତଳା ଥିଲେ। ତେଣୁ ସେ ତାଙ୍କ ଓଜନ ବଢେଇବା ପାଇଁ ଥରକେ ୩୦-୩୫ ପଟ ରୁଟି ଖାଉଥିଲେ।
ତେବେ ମେନେ ପ୍ୟାର କିଆରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ସଲମାନ | ପରେ ଉଭୟ ରୋମାନ୍ସ ଓ ଆକ୍ସନ୍ରେ ଦକ୍ଷ ସଲମାନ ବଲିଉଡକୁ ହମ୍ ଆପକେ ହେ କୋନ୍, କରଣ-ଅର୍ଜୁନ, ଜୁଡଓ୍ୱା, ପ୍ୟାର କିୟା ତୋ ଡରନା କ୍ୟା, ଦବଙ୍ଗ, ବଡିଗାର୍ଡ, ଏକ ଥା ଟାଇଗର, ବଜରଙ୍ଗୀ ଭାଇଜାନ ଭଳି ନାଏକ ବ୍ଲକବଷ୍ଟର ଫିଲ୍ମ ଦେଇଛନ୍ତି। ସଲମାନଙ୍କୁ ଇଣ୍ଡଷ୍ଟ୍ରୀର ଟ୍ରେଣ୍ଡ ସେଟର ବି କହନ୍ତି । କାରଣ ଜଣେ ବରିଷ୍ଠ ଅଭିନେତା ସହ ସଲମାନ ଜଣେ ସଫଳ ବ୍ୟବସାୟୀ ଅଟନ୍ତି। ସଲମାନ ଖାନ ଫିଲ୍ମ ନାମକ ପ୍ରଡକ୍ସନ ହାଉସ ଓ ବିଙ୍ଗ୍ ହ୍ୟୁମାନ କ୍ଲୋଥିଂ ବ୍ରାଣ୍ଡର ମାଲିକ ହେଉଛନ୍ତି ସଲମାନ।