(ମମତା ସାମଲ)ରିପୋର୍ଟସଟୁଡେ: ଅନୁଭବ ମହାନ୍ତି ସାରାଓଡ଼ିଶାରେ ଏକ ପରିଚିତ ଚେହେରା। ସୁପରହିଟ ଫିଲ୍ମ ପାଇଁ ହେଉ ବା ରାଜନୀତି ପାଇଁ କିଛି ନା କିଛି କାରଣ ଯୋଗୁଁ ସବୁବେଳେ ଚର୍ଚ୍ଚାରେ ଥା’ନ୍ତି ଅନୁଭବ। ଆଜି ଏହି ଓଲିଉଡ ସୁପରଷ୍ଟାର ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି ଆଜି ୩୮ ବର୍ଷ ବୟସରେ ପାଦ ଦେଇଛନ୍ତି। ୧୯୮୧ ମସିହା ଡିସେମ୍ବର ୨୪ରେ କଟକରେ ଜନ୍ମ ହୋଇଥିଲେ ଅନୁଭବ।
ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି କଥା।
ଅଭିନୟ ଜଗତକୁ ଆଲବମ୍ ଜରିଆରେ ପ୍ରବେଶ କରିଥିଲେ ଅନୁଭବ। ଆଲବମ୍ରେ ବିଭିନ୍ନ ସୁପରହିଟ ଗୀତରେ ଦର୍ଶକ ତାଙ୍କୁ ପସନ୍ଦ କରିଥିଲେ। ଏହାପରେ ସେ ଫିଲ୍ମରେ ଡେବ୍ୟୁ କରିଥିଲେ। ତାଙ୍କ ପ୍ରଥମ ଫିଲ୍ମ ଥିଲା ‘ଆଇ ଲଭ୍ ୟୁ’। ଏହି ଫିଲ୍ମ ୨୦୦୪ରେ ରିଲିଜ ହୋଇଥିଲା। ପ୍ରଥମ ଫିଲ୍ମରୁ ହିଁ ଅନୁଭବଙ୍କୁ ଷ୍ଟାର ଷ୍ଟାଟସ୍ ମିଳିଥିଲା। ଏହାପରେ ଗୋଟିଏ ପରେ ଗୋଟିଏ ଫିଲ୍ମରେ ତାଙ୍କୁ ଅଫର ମିଳିଥିଲା। ଅନୁଭବ ବି ଦର୍ଶକଙ୍କୁ ନିରାଶ କରିନଥିଲେ।
ଅର୍ଜୁନ, ପ୍ରଥମ ପ୍ରେମ, ସାଥୀରେ, ସୁନା ଚଢ଼େଇ ମୋ ରୂପା ଚଢ଼େଇ ଭଳି ହିଟ୍ ଫିଲ୍ମରେ ଅଭିନୟ କରିବା ପରେ ଅନୁଭବଙ୍କ ଲୋକପ୍ରିୟତା ବଢ଼ିଥିଲା।
୨୦୧୨ରେ ତାଙ୍କ ଅଭିନୀତ ଫିଲ୍ମ ‘ବାଳୁଙ୍ଗା ଟୋକା’ର ସଫଳତା ପରେ ସେ ତାଙ୍କ ନିଜର ପ୍ରଡକ୍ସନ ହାଉସ ଖୋଲିଥିଲେ। ସେହିବର୍ଷ ତାଙ୍କର ଆଉ ଏକ ଫିଲ୍ମ ସମଥିଙ୍ଗ୍ ସମଥିଙ୍ଗ୍ ହିଟ୍ ହୋଇଥିଲା।
ଓଡ଼ିଆ ଫିଲ୍ମ ବ୍ୟତୀତ ଅନୁଭବ ବେଙ୍ଗଲି ଫିଲ୍ମରେ ବି ଅଭିନୟ କରିଛନ୍ତି। ଲୋକପ୍ରିୟ ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ସହ ଅନୁଭବ ଏକ ବେଙ୍ଗଲି ଫିଲ୍ମରେ ନଜର ଆସିଥିଲେ।