ରଜ ଆସେ ଗୋଟେ କୂଆଁରୀ ପାଦର ଅଳତାରେ

0

ବ୍ୟୁରୋ: ଓଡିଆ ଘରେ ବାର ମାସରେ ୧୩ ପର୍ବ । ଆଉ ସେହି ୧୩ ପର୍ବକୁ ବେଶ ଧୁମ ଧାମରେ ପାଳନ କରିଥାନ୍ତି ପ୍ରତ୍ୟକ ଓଡିଆ । ହେଲେ ସବୁ ପର୍ବଠୁ ରଜ ଟିକିଏ ନିଆରା । ରଜ ଆସେ ଗାଁ ଦାଣ୍ଡରେ ଆଉ ସହର ବଜାରରେ । ରଜ ଆସିଲେ ଚଳଚଞ୍ଚଳ ହୋଇ ଉଠେ କୂଆଁରୀର ମନ । ଆଉ ଏହି ରଜ ଆସେ ବର୍ଷା ଭିଜା ମାଟିର ସୁଗନ୍ଧରେ । ହଁ ରଜ ଆସେ ଗୋଟେ କୂଆଁରୀ ପାଦର ଅଳତାରେ । ଆଉ ରଜ ଆସେ ନୂଆ ପୋଷାକରେ , ରଜ ପାନରେ, ପୋଡପିଠାରେ ଆଉ ଦୋଳିଖେଳର କଟମଟ ଶବ୍ଦରେ । କାରଣ ରଜ ହେଉଛି ଆନନ୍ଦର ପର୍ବ ।

ଏହି ରଜ ଜେଷ୍ଠ ମାସର ଶେଷ ଓ ଆଶାଢ ମାସର ଆରମ୍ଭରେ ପାଳନ କରାଯାଏ । ରଜକୁ ୫ ଦିନ ଧରି ପାଳନ କରାଯାଏ । ଆଜି ହେଉଛି ପହିଲି ରଜ । ହିନ୍ଦୁଧର୍ମରେ କଥା ଅଛି ଯେ, ଧରିତ୍ରୀ ମା ମିଥୁନ ସଂକ୍ରାନ୍ତି ବା ରଜ ସଂକ୍ରାତିରେ ୩ ଦିନ ଧରି ନିଜର ମାସିକ ଧର୍ମ ପାଳନ କରିଥାନ୍ତି । ଆଉ ଏହି ୩ ଦିନ ଧରି କୂଆଁରି ମାନେ ଖାଲି ପାଦରେ ମାଟିକୁ ସ୍ପର୍ସ ନ କରିବାର ମଧ୍ୟ ପ୍ରଥା ରହିଛି । ଆଉ ଏହି ରଜ ସଂକ୍ରାନ୍ତି ପର ଠାରୁ ବର୍ଷା ସହ ଆରମ୍ଭ ହୁଏ ଚାଷ କାମ । ଏଣୁ ରଜକୁ ଓଡିଆ ଜାତିର ଧର୍ମ ଓ ସଂସ୍କୃତିର ପର୍ବ ବୋଲି କୁହାଯାଏ ।

ରଜକୁ ଦୋଳି, ନୂଆ ପୋଷାକ ଆଉ ପାନ ସହ ପିଠାପଣାର ପର୍ବ ବୋଲି ବି କୁହାଯାଏ । ଏଣୁ ପହିଲି ରଜର ପୂର୍ବ ଦିନ ଅର୍ଥାତ ସଜବାଜ ଦିନ ସବୁ ପ୍ରକାରର ପିଠାପଣା ତିଆରି କରାଯାଇଥାଏ । ଏଇ ଯେମିତି ପୋଡ ପିଠା, ଚକୁଳି ପିଠା, ଆରିସା ପିଠା , କାକରା ପିଠା, ଏହା ସହ ବିଭିନ୍ନ ସୁସ୍ୱାଦୁ ମିଠା ।

ଏହି ଦିନରେ ଝିଆ ମାନେ ପାଦରେ ଅଳତା ଲଗାଇ ହାତାରେ ମେହେନ୍ଦି କରି, ନୂଆ ପୋଷାକ ପିନ୍ଧି ଦୋଳିଖେଳିବାରେ ମଜି ଯାନ୍ତି । ଦୋଳିର କଟମଟ ଶବ୍ଦ ସହ ଝିଆମାନଙ୍କର ଖିଲି ଖିଲି ହସରେ ଫାଟି ପଡେ ପୁରା ଗାଁ । ପୁରୁଷ ମାନେବି ତାସ ସହ କବାଡି ଖେଳର ମଜା ନିଅନ୍ତି । ଏମିତି ହସ ମଉଜରେ ରଜ କେମିତି କଟିଯାଏ ଜଣା ପଡେନା । ଶେଷ ଦିନ ବଡି ଭୋରୁ ଉଠି ମା ମାନେ ବସୁମତି ସ୍ନାନ କରାଇଥାନ୍ତି । ଶେଷରେ ମେଲାଣି ନିଏ ରଜ ପର୍ବ । କଥା ଦିଏ ପୁଣି ଆସିବ ଆର ବର୍ଷକୁ ।