ବାଲେଶ୍ଵର / ଅଜିତ ସାହୁ : ନିଆଁ ଲାଗି ଅମଳ ଧାନ ପୋଡ଼ି ପାଉଁଶ । ବସ୍ତା ଥାନା ବରୁଣଗଡ଼ିଆ ପଞ୍ଚାୟତ ଅନ୍ତର୍ଗତ ନିଶ୍ଚିନ୍ତପୁର ଗ୍ରାମରେ ଘଟିଛି ଏଭଳି ଅଘଟଣ । ଧାନ ଖଳାରେ ନିଆଁ ଲାଗି ୫୦ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଧାନ ପୋଡ଼ି ପାଉଁଶ ହୋଇଯାଇଥିବା କୁହାଯାଉଛି । ସୂଚନାରୁ ପ୍ରକାଶ କି ଗ୍ରାମର ସୁବଳ ଚନ୍ଦ୍ର ବେହେରା ୧୨ ଏକର ଜମିର ଅମଳ ଧାନକୁ ଧାନ ଖଳାରେ ଗଚ୍ଛିତ କରି ରଖିଥିଲେ। ତେବେ ଅକଣ୍ଡାରେ ନିଆଁ ଲାଗି ଗଚ୍ଛିତ ଧାନକୁ ନିଆଁ ସଞ୍ଚାରିତ ହୋଇଥିଲା।ଯାହାଦ୍ବାରା ଧାନଖଳାରେ ଗଚ୍ଛିତ ଥିବା ୨ ଶହ କ୍ବିଣ୍ଟାଲ ଧାନରୁ ପାଖାପାଖି ପଚାଶ କ୍ବିଣ୍ଟାଲ ଧାନ ପୋଡ଼ି ପାଉଁଶ ହୋଇଯାଇଛି।ଖବର ପାଇ ବସ୍ତା ଅଗ୍ନିଶମ ବିଭାଗ ଓ ଗ୍ରାମବାସୀ ପହଞ୍ଚି ଦୀର୍ଘ ୩ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡର କାରଣ ସଠିକ୍ ଜଣାପଡ଼ି ନଥିବା ବେଳେ, କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଗ୍ରାମବାସୀ ଅନୁମାନ କରିଛନ୍ତି। ପୋଡି ଯାଇଥିବା ଧାନ ର ଆନୁମାନିକ ମୂଲ୍ୟ ପ୍ରାୟ ୧ଲକ୍ଷ୍ୟ ଟଙ୍କା ହେବ ବୋଲି କୁହାଯାଉଛି ।