(ଭୁବନେଶ୍ୱର): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜାମିନ ଆବେଦନ ପ୍ରସଙ୍ଗରେ କେସ ଡାଏରୀ ଦାଖଲ ପାଇଁ ସୋମବାର କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଟାଟା କମ୍ପାନୀରେ ଚାକିରୀ କରାଇଦେବା ନାଁରେ ଭାବୀ ଜ୍ୱାଇଁ ଆକାଶ ପାଠକଙ୍କ ପାଇଁ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ପୋଲିସ ଗୋପାଳପୁର ବିଧାୟକଙ୍କୁ ଗତବର୍ଷ ଡିସେମ୍ବର ୪ ତାରିଖରେ ଗିରଫ କରିଥିଲା । ଏବେ ଝାରପଡା ଜେଲରେ ଥିବା ପ୍ରଦୀପ ଜାମିନ ଆବେଦନ କରିଥିବା ବେଳେ ହାଇକୋର୍ଟରେ ଆଜି ତାଙ୍କ ଅଭିଯୋଗର ଶୁଣାଣି ହୋଇଥିଲା । ଏହି ଘଟଣାରେ କେସ ଡାଏରୀ ଦାଖଲ ପାଇଁ କ୍ରାଇମବ୍ରାଞ୍ଚକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସୂଚନାଯୋଗ୍ୟ, ଟାଟା କମ୍ପାନୀରେ ଚାକରି କରାଇଦେବା ଲୋଭ ଦେଖାଇ ଆକାଶ ପାଠକ ଲୋକଙ୍କ ଠାରୁ ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା । ଏଥିରେ ପ୍ରଦୀପ ପାଣିଗ୍ରାହୀଙ୍କ ସମ୍ପୃକ୍ତି ଥିବା ଜଣାପଡିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ଏବେ ପ୍ରଦୀପ ମାସେ ଧରି ଝାରପଡା ଜେଲରେ ଅଛନ୍ତି ।