ଓଡ଼ିଶାରେ HCL ର ଏକ କ୍ୟାମ୍ପସ୍ ସହ ବିଶ୍ବବିଦ୍ୟାଳୟ ପାଇଁ ଦିଆଯାଇଛି ପ୍ରସ୍ତାବ

0

ନୂଆଦିଲ୍ଲୀ-: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତ ରାଜ୍ୟର ଶିଳ୍ପାୟନର ସ୍ଥିର ବିକାଶକୁ ସୁନିଶ୍ଚିତ କରିଛି । ଗସ୍ତର ପ୍ରଥମ ଦିନରେ ୧୪ଟି କମ୍ପାନୀ ରାଜ୍ୟରେ ୩ ହଜାର କୋଟିରୁ ଊର୍ଦ୍ଧ୍ବ ନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏହା ସହ ୨୭ ହଜାର ୫୯୫ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଏହି ସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୪୮ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ରାଜ୍ୟରେ ଆଇଟି ଓ ଆଇଟିଇ କ୍ଷେତ୍ରରେ ପଦକ୍ଷେପ ପାଇଁ ଏଚସିଏଲ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ଓଡ଼ିଶାରେ ଏଚସିଏଲ କ୍ୟାମ୍ପସ କରିବା ପାଇଁ ପ୍ରତିଶ୍ରୁତି ମିଳିଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ନିବେଶକ ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୋଏଡ଼ା ସେକ୍ଟର ୧୨୬ସ୍ଥିତ HCL ଟେକ୍ କ୍ୟାମ୍ପସ୍ ପରିଦର୍ଶନ କରିଛନ୍ତି । ଓଡ଼ିଶାରେ କିଭଳି HCL ଟେକ୍ ନିବେଶ ଓ ବିସ୍ତାର କରିବ ସେ ନେଇ ଶ୍ରୀ ମାଝୀ କମ୍ପାନୀର ବରିଷ୍ଠ ଅଧିକାରୀମାନଙ୍କ ସହିତ ବିଚାରବିମର୍ଶ କରିଥିଲେ କ୍ୟାମ୍ପସ୍ ବୁଲି ଦେଖିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ କହିଲେ, HCLକୁ ଓଡ଼ିଶାରେ ନିବେଶ ପାଇଁ ନିମନ୍ତ୍ରଣ କରାଯାଇଛି ହସିଲା କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ସକାରାତ୍ମକ ରହିଛି । ଓଡ଼ିଶାରେ ଏହାର ଏକ କ୍ୟାମ୍ପସ୍ ସହ ଏକ ବିଶ୍ବବିଦ୍ୟାଳୟ ପାଇଁ ପ୍ରସ୍ତାବ ଦିଆଯାଇଛି । ଖୁବ୍ ଶୀଘ୍ର HCL କର୍ତ୍ତୃପକ୍ଷ ଓଡ଼ିଶା ଆସିବା ସଙ୍କେତ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ HCL ଟେକ୍ ଏକ ଗ୍ଲୋବାଲ୍ ଟେକ୍ନୋଲୋଜି କଂପାନି । ବିଶ୍ବର ୬୦ଟି ଦେଶର ୨ ଲକ୍ଷ ୨୦ ହଜାର ବ୍ୟକ୍ତି ଏଥିରେ କାର୍ଯ୍ୟ କରୁଛନ୍ତି । ଏହା ଡିଜିଟାଲ୍ ଇଂଜିନିୟରିଂ, କ୍ଲାଉଡ୍ ଓ କୃତ୍ରିମ ବୁଦ୍ଧିମତା (AI) ଓ ଉତ୍ପାଦ କ୍ଷେତ୍ରରେ ଖ୍ୟାତି ଲାଭ କରିଛି ।