(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଉତ୍ତର- ପଶ୍ଚିମ ବଙ୍ଗୋପସାଗରର ଓଡ଼ିଶା- ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ପ୍ରାୟ ୧୫ଟି ଜିଲ୍ଲାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ଏହି ଲଘୁଚାପ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବ ବୋଲି ଆଜି କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି । ସେହିପରି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି କେନ୍ଦ୍ର ଆକଳନ କରିଛି। ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ କଟକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଯାଜପୁର, ଭଦ୍ରକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, କନ୍ଧମାଳ, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି, କୋରାପୁଟ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଜୁଆର ଉଠିବାର ସମ୍ଭାବନା ରହିଛି । ତେଣୁ ଧୀବର ଓ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ବାରଣ କରାଯାଇଛି ।