(ଓମପ୍ରକାଶ ମିଶ୍ର/ ସୋନପୁର): ଗତ ଦୁଇ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ହୋଇଛି ସୁବର୍ଣ୍ଣପୁର ସହର । ସହରର ପଟାଭାଡି ଅଞ୍ଚଳରେ ଲୋକଙ୍କ ଘରେ ପାଣି ପସିଛି । ପଟାଭାଡି ବସ୍ତିର ପ୍ରାୟ ୩୦ରୁ ୪୦ ଘରେ ଆଣ୍ଠୁଏ ଉଚ୍ଚର ପାଣି ଜମିଥିବା ଜଣାପଡିଛି । ଗତକାଲି ରାତିରୁ ଘରେ ପାଣି ପସିବା ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି । ଖବର ପାଇ ଆଜି ସକାଳୁ ଦମକଳ ବାହିନୀ ଘରୁ ପାଣି ନିଷ୍କାସନରେ ଲାଗି ପଡିଛି । ରାସ୍ତା ତିଆରି ପାଇଁ ସ୍ଥାନୀୟ ଏକ ଡ୍ରେନକୁ ପୋତି ଦିଆଯାଇଥିବାରୁ ଏହି ସମସ୍ୟା ଉପୁଜିଥିବା ଲୋକେ ଅଭିଯୋଗ କରିଛନ୍ତି । ସେହିପରି ସହରର ଅନେକ ବସ୍ତିଗୁଡିକରୁ ବାହାରୁଥିବା ବନ୍ୟାପାଣି ରାସ୍ତାରେ ଜମି ରହିବା ଫଳରେ ଯିବା ଆସିବାରେ ଅସୁବିଧା ସୃଷ୍ଟି ହେଉଛି । ତେବେ ଗତ ୨ ଦିନର ଲଗାଣ ବର୍ଷାରେ ସୋନପୁର ସହର ଅବସ୍ଥା ଶୋଚନୀୟ ହୋଇଥିବା ବେଳେ ଆଗକୁ ବର୍ଷା ଜାରି ରହିଲେ ଅବସ୍ଥା ଅସମ୍ଭାଳ ହେବ ବୋଲି ଚର୍ଚ୍ଚା ଚାଲିଛି ।