ଭଦ୍ରକ: ଦକ୍ଷିଣ ଝାଡ଼ଖଣ୍ଡ ଏବଂ ପଡ଼ୋଶୀ ଉପରେ ଘୂର୍ଣ୍ଣିବଳୟ ଜାରି ରହିଛି । ଏବେ ଏହା ସମୁଦ୍ର ପତନଠାରୁ ୫.୮ କିଲୋମିଟର ଉଚ୍ଚତାରେ ଦକ୍ଷିଣ ଆଡକୁ ଘୂର୍ଣ୍ଣିବଳୟ ରହିଥିବା ବେଳେ ଏହି ଟ୍ରପ ଲାଇନ ଏବେ ଦକ୍ଷିଣ-ପୂର୍ବ ରାଜସ୍ଥାନରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଦେଇ କେନ୍ଦ୍ରୀୟ ମଧ୍ୟପ୍ରଦେଶ, ଉତ୍ତର ଛତିଶଗଡ଼ ଦେଇ ଗତି କରୁଛି । ଫଳରେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି ।
ଆଜିପାଇଁ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । କୋରାପୁଟ, କଳାହାଣ୍ଡି, ସୋନପୁର, ସମ୍ୱଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୭ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ସେହିପରି ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପବନର ବେଗ ଘଣ୍ଟାପ୍ରତି ୩୦-୪୦ କିଲୋମିଟର ବେଗରେ ବହିବ । ସେହିପରି ୫ରୁ ୭ ତାରିଖ ଯାଏଁ ଅଧିକ ବର୍ଷା ହେବା ସମ୍ଭାବନା ରହିଛି । ପଶ୍ଚିମ ଓଡ଼ିଶା ଓ ପାର୍ଶ୍ୱବର୍ତ୍ତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।
ଅନ୍ୟପଟେ ଲଗାଣ ବର୍ଷାରେ ବେହାଲ ହୋଇଛି ଉତ୍ତର ଓଡିଶା । ଉପରମୁଣ୍ଡରେ ବର୍ଷା କମିଥିବାରୁ ତଳମୁଣ୍ଡରେ ପାଣି ବଢୁଛି । ଆରଡି ସମେତ ଆଖପାଖ ଓଳଗ, ସୁନ୍ଦରପୁର, ଦୋହରା, ପାଲଟପୁର, ମୁଆଁ, ଶୀତଳପୁର ଆଦି ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀର ଜଳସ୍ତର କମିଥିବା ବେଳେ ହଦଗଡ ଡ୍ୟାମରୁ ଆସୁଥିବା ପାଣିରେ ସାଳନ୍ଦୀ ନଦୀର ଜଳସ୍ତର ବଢିବାରେ ଲାଗିଛି। ଆଗକୁ ପୂର୍ଣ୍ଣିମା ଥିବାରୁ ଧାମରା ନିକଟରେ ସମୁଦ୍ର ଜୁଆରିଆ ରହିବ । ସେହିପରି ଭଦ୍ରକ ପୌରପାଳିକା ଅନ୍ତର୍ଗତ ୨୯ ନମ୍ୱର ୱାର୍ଡ ଦୁର୍ଗାପୁର ଠାରେ ସାଳନ୍ଦୀ ନଦୀରେ ବନ୍ଧ ଭାଙ୍ଗିଥିବା ନେଇ ସୂଚନା ମିଳିଛି । ଫଳରେ ବନ୍ୟା ପାଣି ଗାଁ ଭିତରକୁ ପଶିଛି । ସାଳନ୍ଦୀ ଇରିଗେସନର ଭଦ୍ରକ ଡିଭିଜନର ଯନ୍ତ୍ରୀ ଓ ଅଧିକାରୀ ମାନେ ପହଞ୍ଚି ସ୍ଥିତି ପରଖିଛନ୍ତି ।