ପୁରୀ: ଆଷାଢ଼ ଶୁକ୍ଳ ଷଷ୍ଠୀ ତିଥିର ଉତ୍ସବକୁ ହେରା ପଞ୍ଚମୀ ବା ଲକ୍ଷ୍ମୀ ବିଜୟ ଉତ୍ସବ କୁହାଯାଏ । ଏବେ ଆଡ଼ପ ମଣ୍ଡପରେ ଅବସ୍ଥାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଜି ହେବ ହେରା ପଞ୍ଚମୀ ନୀତି । ଏହି ଦିବସରେ ଶ୍ରୀଜଗନ୍ନାଥଙ୍କୁ ଏକାନ୍ତ ଦର୍ଶନ କରନ୍ତି ମା’ ଲକ୍ଷ୍ମୀ । ସେବକମାନେ ବିଧିପୂର୍ବକ ଏହି ନୀତି ସମ୍ପାଦନ କରନ୍ତି । ସନ୍ଧ୍ୟା ପୂର୍ବରୁ ମା’ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ଗୁଣ୍ଡିଚା ଘରକୁ ବିଜେହୋଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏପଟେ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀ ପ୍ରଚଣ୍ଡ ଅଭିମାନରେ କରିଛନ୍ତି । ନନ୍ଦିଘୋଷ ଠାକୁରଙ୍କୁ ନେଇ ଗୁଣ୍ଡିଚାଘରକୁ ଯାଇଛନ୍ତି । ଏଣୁ ମହାଲକ୍ଷ୍ମୀଙ୍କ ରୋଷର ଶିକାର ହେବ ନନ୍ଦିଘୋଷ ।
ଋକ୍ମିଣୀ ହରଣ ଏକାଦଶୀରେ ବିବାହ ପରେ ମହାପ୍ରଭୁ ଚତୁର୍ଥୀ (ଚତୁର୍ଦ୍ଦଶୀ ତିଥି) ଦିନ ସ୍ନାନବେଦୀରେ ଅତ୍ୟଧିକ ସ୍ନାନ ଯୋଗୁ ଜ୍ୱରରେ ପଡ଼ି ଅଣସର ଘରେ ଥିଲେ। ଭଲ ହୋଇ ଅଣସର ଘରୁ ବାହାରିଛନ୍ତି କି ନାହିଁ ଭାଇ-ଭଉଣୀଙ୍କୁ ଧରି ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ବୁଲିବାକୁ ଚାଲି ଆସିଛନ୍ତି। ସେପଟେ ମା’ଲକ୍ଷ୍ମୀ ଠାକୁରାଣୀଙ୍କ ଅଙ୍ଗବାସରୁ ବିବାହ ଗଇଣ୍ଠାଳ ଫିଟିନି। ନବବିବାହିତା ମା’ଲକ୍ଷ୍ମୀ ଠାକୁରାଣୀ ୫ ଦିନର ବିରହ ବେଦନା ସହ୍ୟ କରି ନ ପାରି ମା’ ବିମଳାଙ୍କ ପରାମର୍ଶ କ୍ରମେ ଆଜି ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋପନ ଯାତ୍ରା କରିବେ । ଏହି ପରମ୍ପରା ଆଧାରରେ ଆଜି ହେରାପଞ୍ଚମୀ ନୀତି ପାଳିତ ହେବ। ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ ନ ପାଇବାରୁ ଅଭିମାନୀ ମା’ ଲକ୍ଷ୍ମୀ ଠାକୁରାଣୀ ଅପମାନ ଓ ରାଗରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭାଙ୍ଗିବା ସହ ନିରାଡ଼ମ୍ବର ଶୋଭାଯାତ୍ରାରେ ପୁନର୍ବାର ଶ୍ରୀମନ୍ଦିରକୁ ଫେରି ଆସିବେ।