ହାଇସିକ୍ୟୁରିଟି ନମ୍ବର ପ୍ଲେଟ ବାଧ୍ୟତାମୂଳକ
ଆପଣ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇ ନାହାନ୍ତି,କି ତେବେ ଜାଣିନିଅନ୍ତୁ କଣ ରହିଛି ସମୟସୀମା
ଭୁବନେଶ୍ୱର : ରାଜ୍ୟରେ ଚାଲୁଥିବା ଗାଡ଼ିଗୁଡିକରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି । ଏଥିପାଇଁ ରାଜ୍ୟ ସରକାର ସମୟସୀମା ରଖିଛନ୍ତି ୨୦୨୩ ଫେବୃଆରି ଶେଷ ତାରିଖ ପର୍ଯ୍ୟନ୍ତ । ଏହି ସଂକ୍ରାନ୍ତରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ବିଧାନସଭାର ଶୀତ ଅଧିବେଶନରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ପ୍ରଶ୍ନ କରିଛନ୍ତି । ସେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଏହି ହାଇସିକ୍ୟୁରିଟି ନମ୍ବର ପ୍ଲେଟର ବୈଶିଷ୍ଟ୍ୟ ଓ ଏହାକୁ ଲଗାଇବା ଦ୍ଵାର ହେଉଥିବା ଫାଇଦା ବିଷୟରେ ପ୍ରଶ୍ନ କରିଥିଲେ । ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ପରିବହନ ମନ୍ତ୍ରୀ କହିଛନ୍ତି,“କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୀତ ମୋଟରଯାନ ଅଧିନିୟମ ୧୯୮୯ର ନିୟମ ୫୦ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ମୋଟର ଯାନରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ ଅଟେ । କେନ୍ଦ୍ର ସରକାର ଏହି ନମ୍ବର ପ୍ଲେଟର ମନ ନିର୍ଦ୍ଧାରଣ କରିଛନ୍ତି । ଏହାର ବୈଶିଷ୍ଟ୍ୟ ଗୁଡିକ ହେଲା, ଏହା ଆଲୁମିନିୟମ ପ୍ଲେଟରେ ତିଆରି ହୋଇଥିବାରୁ ଏଥିରେ କଳଙ୍କି ଲାଗେ ନାହିଁ । ଏହି ପ୍ଲେଟରେ ଅଙ୍କିତ ସଂଖ୍ୟା ଓ ଅକ୍ଷର ଗୁଡିକୁ ଉଚ୍ଚତାପରେ ଖୋଦିତ ହୋଇଥାଏ । ଏହା ସହଜରେ ବିକୃତ ହୁଏ ନାହିଁ । ଏହି ପ୍ଲେଟଟି ଏକ ସ୍ଵତନ୍ତ୍ର ପଦ୍ଧତିରେ ଲଗାଯାଇଥାଏ ଯାହା ପୁନଃ ଲଗାଇବା ଯୋଗ୍ୟ ହୁଏ ନାହିଁ । ଏହି ପ୍ଲେଟରେ ଲେଖାଯାଇଥିବା ସଂଖ୍ୟା ଓ ଅକ୍ଷର ମୋଟରଯାନ ଅଧିନିୟମ ୧୯୮୯ର ନିୟମ ୫୧ରେ ଧାର୍ଯ୍ୟ ମାନ ଅନୁସାରେ ଖୋଦିତ ହୋଇଥାଏ । ଏହି ନମ୍ବର ପ୍ଲେଟରେ ଦଶ ଅଙ୍କ ବିଶିଷ୍ଟ ଏକ ସ୍ବତନ୍ତ୍ର କୋଡ୍ ଥାଏ, ଯାହା କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରସ୍ତୁତ ବାହନ କମ୍ପୁଟର ଡାଟାବେସରେ ଲିପିବଦ୍ଧ ହୋଇ ରହେ ।