ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବୁଧବାର ଦିନ ୱାକଫ (ସଂଶୋଧନ) ଆଇନ, ୨୦୧୫ ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଆଗତ ଆବେଦନଗୁଡ଼ିକର ଶୁଣାଣି କରିବାକୁ ଯାଉଛିନ୍ତି। ସୁପ୍ରିମକୋର୍ଟର ୱେବସାଇଟରେ ପ୍ରକାଶିତ ତାଲିକା ଅନୁଯାୟୀ, ଭାରତର ମୁଖ୍ୟ ବିଚାରପତି ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ବିଚାରପତି ସଞ୍ଜୟ କୁମାର ଏବଂ କେ.ଭି.ବିଶ୍ୱନାଥନଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ୧୬ ଏପ୍ରିଲରେ ଶୁଣାଣି ପାଇଁ ଏହି ମାମଲା ଗ୍ରହଣ କରିବେ।
ସୂଚନା ଅନୁସାରେ, ୱାକଫ ଆଇନ, ୧୯୯୫ରେ ସାମ୍ପ୍ରତିକ ସଂଶୋଧନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ନ୍ୟାୟାଳୟରେ ଏକାଧିକ ଆବେଦନ ଦାଖଲ କରାଯାଇଛି। ଅନ୍ୟପକ୍ଷରେ, ହରିୟାଣା, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ଆସାମ ଏବଂ ଉତ୍ତରାଖଣ୍ଡ ସମେତ ଅନେକ ବିଜେପି ଶାସିତ ରାଜ୍ୟ ୱାକଫ (ସଂଶୋଧନ) ଆଇନ, ୨୦୨୫କୁ ରକ୍ଷା କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ସେହିପରି, ହିନ୍ଦୁ ସେନା ୱାକଫ (ସଂଶୋଧନ) ଆଇନ, ୨୦୨୫କୁ ସମର୍ଥନ କରି ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଆବେଦନ ଦାଖଲ କରିଛି। ହିନ୍ଦୁ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଦ୍ୱାରା ଦାଖଲ ଆବେଦନରେ ଯୁକ୍ତି ଦର୍ଶାଯାଇଛି “ମୁସଲିମ ସମ୍ପ୍ରଦାୟର କୌଣସି ସଦସ୍ୟଙ୍କ କୌଣସି ଅଧିକାରର ଉଲ୍ଲଂଘନ ହେଉନାହିଁ। ବରଂ ୱାକଫ ଆଇନ, ୧୯୯୫ର ସଂଶୋଧିତ ବ୍ୟବସ୍ଥା ସମାଜର ଅଣ-ମୁସଲିମ ସଦସ୍ୟଙ୍କ ଅଧିକାର ଏବଂ ସ୍ୱାର୍ଥ ପ୍ରତି ପକ୍ଷପାତ ସୃଷ୍ଟି କରିଛି କାରଣ ୱାକଫ ଆଇନ, ୧୯୯୫ର ଧାରା ୪୦ ସହିତ ପଠିତ ଧାରା ୩ ଅନୁସାରେ, ଅଣ-ମୁସଲିମଙ୍କ ସମ୍ପତ୍ତି ୱାକଫ ବୋର୍ଡ ଦ୍ୱାରା ଦଖଲ କରାଯାଇଥିଲା” ।
ଏପ୍ରିଲ ପ୍ରଥମ ସପ୍ତାହରେ ସଂସଦ ଦ୍ୱାରା ଆଇନ ଗୃହୀତ ହେବା ପରେ, କଂଗ୍ରେସ ଘୋଷଣା କରିଥିଲା ଯେ ୱାକଫ (ସଂଶୋଧନ) ବିଲ୍ କୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବ। ଏହି ୱାକଫ (ସଂଶୋଧନ) ବିଲ୍ ସମ୍ବିଧାନର ମୌଳିକ ଢାଞ୍ଚା ଉପରେ ଏକ ଆକ୍ରମଣ ଏବଂ ଧର୍ମ ଆଧାରରେ ଦେଶକୁ “ଧ୍ରୁବୀକରଣ” ଏବଂ “ବିଭାଜନ” କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।
ଅନ୍ୟପକ୍ଷରେ, ସରକାର କହିଛନ୍ତି ଯେ ଏହି ଆଇନ ଦ୍ୱାରା କୋଟି କୋଟି ଗରିବ ମୁସଲମାନ ଉପକୃତ ହେବେ, ଏବଂ ଏହା କୌଣସି ପ୍ରକାରେ କୌଣସି ଗୋଟିଏ ମୁସଲମାନକୁ କ୍ଷତି ପହଞ୍ଚାଇବ ନାହିଁ। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ ଏହି ଆଇନ ୱାକଫ ସମ୍ପତ୍ତିରେ ହସ୍ତକ୍ଷେପ କରିନାହିଁ, ମୋଦି ସରକାର ‘ସବକା ସାଥ ଏବଂ ସବକା ବିକାଶ’ ଦୃଷ୍ଟିକୋଣ ସହିତ କାମ କରେ।
ସୁପ୍ରିମକୋର୍ଟରେ ଦାଖଲ କରିଥିବା ତାଙ୍କ ଆବେଦନରେ କଂଗ୍ରେସ ସାଂସଦ ଏବଂ ଲୋକସଭାରେ ଦଳୀୟ ସଚେତକ ମହମ୍ମଦ ଜାୱେଦ ଯୁକ୍ତି ଦର୍ଶାଇଛନ୍ତି ଯେ ଏହି ସଂଶୋଧନଗୁଡ଼ିକ ସମ୍ବିଧାନର ଧାରା ୧୪ (ସମାନତାର ଅଧିକାର), ୨୫ (ଧର୍ମ ପାଳନ ଏବଂ ପ୍ରଚାର କରିବାର ସ୍ୱାଧୀନତା), ୨୬ (ଧାର୍ମିକ ସମ୍ପ୍ରଦାୟର ଧାର୍ମିକ ବ୍ୟାପାର ପରିଚାଳନା କରିବାର ସ୍ୱାଧୀନତା), ୨୯ (ସଂଖ୍ୟାଲଘୁ ଅଧିକାର), ଏବଂ ୩୦୦ଏ (ସମ୍ପତ୍ତିର ଅଧିକାର) ଉଲ୍ଲଂଘନ କରିଛି। ଆସୋସିଏସନ୍ ଫର୍ ପ୍ରୋଟେକ୍ସନ୍ ଅଫ୍ ସିଭିଲ୍ ରାଇଟ୍ସ, ଆପ୍ ନେତା ଅମାନତୁଲ୍ଲା ଖାନ, ଜମିୟତ୍ ଉଲେମା-ଇ-ହିନ୍ଦର ମୌଲାନା ଅର୍ଶଦ ମଦାନୀ, ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ୍ ଲ ବୋର୍ଡ (AIMPLB), ସୋସିଆଲ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆ (SDPI), ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍, ତୈୟବ ଖାନ ସଲମାନୀ ଏବଂ ଅଞ୍ଜୁମ୍ କାଦାରୀଙ୍କ ସମେତ ଅନ୍ୟ କେତେକ ଲୋକ ୱାକଫ୍ (ସଂଶୋଧନ) ଆଇନ, ୨୦୨୫ ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଆବେଦନ ଦାଖଲ କରିଛନ୍ତି।