ଜନସେବା କେନ୍ଦ୍ର ସିଲ୍ : ଗରିବ ଲୋକଙ୍କୁ ନକଲି ପ୍ରମାଣପତ୍ର ଦେଇ ଠକୁଥିଲେ ଯୁବକ

0

ହିଞ୍ଜିଳି/ ରଜନୀକାନ୍ତ ପାତ୍ର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ରହିଥିବା ଜନସେବା କେନ୍ଦ୍ର ସିଲ୍ । ଗୁରୁବାର ଦିନ ଦିଗପହଣ୍ଡି ତହସିଲଦାର ଅଦୈତ କୁମାର ସ୍ୱାଇଁ ଏହାକୁ ସିଲ୍ କରିଥିବା ଜଣାପଡ଼ିଛି
ଖବରନୁଯାୟୀ , କେନ୍ଦ୍ର ଓ ରାଜ୍ୟ ସରକାର ସର୍ବ ସାଧାରଣ ଲୋକଙ୍କୁ ଚାକିରି କିମ୍ବା ବିଭିନ୍ନ ସହାୟତା ଯୋଜନାରେ ସାମିଲ କରାଯିବା ପାଇଁ ବିଭିନ୍ନ ପ୍ରମାଣପତ୍ର ବାଧ୍ୟତାମୂଳକ କରିଛନ୍ତି । କିନ୍ତୁ ଏହି ପ୍ରମାଣପତ୍ର ଯୋଗାଇଦେବା ନାମରେ ଗରିବ ଲୋକଙ୍କୁ ନକଲି ପ୍ରମାଣପତ୍ର ପ୍ରଦାନ କରି ଠକି ଚାଲିଥିଲେ ଜନସେବା କେନ୍ଦ୍ର ଚଳାଉଥିଲା ଯୁବକ ଜିତେନ୍ଦ୍ର କୁମାର ସେଠୀ । ଜିତେନ୍ଦ୍ର ଦୀର୍ଘଦିନ ଧରି ଲୋକଙ୍କୁ ସେବା ଯୋଗାଇ ଦେବା ନାମରେ ଆଧାର କାର୍ଡ , ଇନକମ ସାର୍ଟିଫିକେଟ ଭଳି ନକଲି ପ୍ରମାଣପତ୍ର ପ୍ରସ୍ତୁତ କରି ଗରିବ ଲୋକଙ୍କ ଠାରୁ ଟଙ୍କା ଲୁଟି ନେଉଥିଲେ ତେବେ ଏହି ଗରିବ ହିତାଧିକାରୀମାନେ ସରକାରୀ ସହାୟତା ପାଇବା ଆଶାରେ ଦିଗପହଣ୍ଡି ବ୍ଲକ କାର୍ୟ୍ୟାଳୟ ନିକଟରେ ପହଞ୍ଚିବା ସେମାନଙ୍କ ପ୍ରମାଣପତ୍ର ଜାଲିଆତି ରହିଥିବା ଜଣାପଡିଛି । ଯାହାଫଳରେ ବ୍ଳକ ଅଧିକାରୀ ଘଟଣା ସଂପର୍କରେ ସ୍ଥାନୀୟ ତହସିଲଦାର ଶ୍ରୀ ସ୍ବାଇଁଙ୍କୁ ଜଣାଇଥିଲେ । ଏହାପରେ ଆଜି ତହସିଲଦାର ଶ୍ରୀ ସ୍ୱାଇଁଙ୍କ ଉପସ୍ଥିତିରେ କଇଠଖଣ୍ଡି ରାଜସ୍ବ ନିରୀକ୍ଷକ ଫକୀର ମୋହନ ରାଉତ , କନିଷ୍ଠ ରାଜସ୍ବ ସହାୟିକା ରୋଜାଲିନ ଡାକୁଆ ସଦଳବଳେ ଉକ୍ତ ଜନସେବା କେନ୍ଦ୍ର ଉପରେ ଚଢ଼ାଉ କରିଥିଲେ । ଘଟଣାପରେ ତହସିଲ ପ୍ରଶାସନ ପକ୍ଷରୁ ସିଲ୍ ମଧ୍ୟ କରିଥିଲେ । ଏନେଇ ତହସିଲଦାର ଶ୍ରୀ ସ୍ବାଇଁ ଅଭିଯୁକ୍ତଙ୍କ ବିରୁଦ୍ଧରେ ଥାନାରେ ଏତଲା ପରେ ପୋଲିସ ଘଟଣାର ତଦନ୍ତ କରିବ ବୋଲି ସୂଚନା ଦେଇଛନ୍ତି ।