(ଆଦର୍ଶ ରାଉତ / ରିପୋର୍ଟସ ଟୁଡ଼େ ) : ଆଜି ମଧ୍ୟ ବାଚସ୍ପତି ପ୍ରଶ୍ନ କରିବାକୁ ସୁଯୋଗ ନ ଦେବାରୁ ଗୃହରେ ପାଟିତୁଣ୍ଡ କଲେ ଉଭୟ ଶାସକ ଓ ବିରୋଧୀ ଦଳର ବିଧାୟକ ମାନେ । ଶୂନ୍ୟକାଳରେ ଉଭୟ ବିରୋଧୀ ଓ ଶାସକ ଦଳର ବିଧାୟକ ମାନେ ଭିନ୍ନ ଭିନ୍ନ ପ୍ରସଙ୍ଗକୁ ଗୃହରେ ଉପସ୍ଥାପନ କରିବା ପାଇଁ ବାଚସ୍ପତିଙ୍କୁ ଗୁହାରି କରୁଥିଲେ । ହେଲେ ବାଚସ୍ପତି ସୀମିତ ସଂଖ୍ୟାରେ ବିଧାୟକ ମାନଙ୍କୁ ସୁଯୋଗ ଦେଉଥିବାରୁ କ୍ଷୁବ୍ଧ ହୋଇଥିଲେ ବିଜୁ ଜନତା ଦଳର ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର । ଶ୍ରୀଯୁକ୍ତ ମିଶ୍ର ଏକ ପ୍ରସଙ୍ଗକୁ ଗୃହରେ ଉପସ୍ଥାପନ କରିବାକୁ ଚାହୁଁଥିବା ବେଳେ ବାଚସ୍ପତି ତାଙ୍କୁ ସୁଯୋଗ ନ ଦେବାରୁ ସେ ଜିଦ୍ ଧରି ଠିଆ ହୋଇ ବାଚସ୍ପତିଙ୍କୁ କହିଲେ ,. ଆପଣ ଯେତେ ପର୍ଯ୍ୟନ୍ତ ମତେ କହିବାକୁ ସୁଯୋଗ ଦେଇନାହାନ୍ତି ସେ ପର୍ଯ୍ୟନ୍ତ ମୋ ସିଟରେ ମୁଁ ବସିବି ନାହିଁ । ବିଧାନସଭା ଚାଲୁଥିବା ଯାଏ ମୁଁ ଏହିପରି ଠିଆ ହୋଇ ବିରୋଧ କରିବି । ଅନ୍ୟପଟେ ସମାନ ଢଙ୍ଗରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ବିରୋଧ କରିଥିଲେ । ପରବର୍ତ୍ତିୀ ମୁହୂର୍ତ୍ତରେ ବାଚସ୍ପତି ଉଭୟ ବିଧାୟକଙ୍କୁ କହିବା ସୁଯୋଗ ଦେବା ପରେ ଗୃହକାର୍ଯ୍ୟ ସଠିକ୍ ଭାବେ ଚାଲିଥିଲା ।
ସୂଚନା ଯୋଗ୍ୟ , ଗତକାଲି ମଧ୍ୟ ଶାସକ ଓ ବିରୋଧୀ ଦଳର ବିଧାୟକ ବାଚସ୍ପତିଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ ଯେ ତାଙ୍କୁ ଗୃହରେ ପ୍ରଶ୍ନ କରିବାକୁ ସୁଯୋଗ ଦିଆଯାଉ ନାହିଁ । ଏହାକୁ ନେଇ ଗୃହରେ ହୋହାଲ୍ଳା ହୋଇଥିଲା ।ଆଜି ମଧ୍ୟ ପ୍ରଶ୍ନ ଉତ୍ତର କାଳରେ ସମାନ ଘଟଣା ଦେଖବାକୁ ମିଳିଥିଲା ।