ଅଶ୍ୱିନୀଙ୍କ ସମୟରେ କେତେ ହେଲାଣି ଟ୍ରେନ ଦୁର୍ଘଟଣା ଓ କେତେ ଗଲାଣି ଜୀବନ?

0

ଆଜି ଭୋରୁ ଭୋରୁ ପୁଣି ଘଟିଛି ଏକ ଟ୍ରେନ ଦୁର୍ଘଟଣା । ହାୱଡା- ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ଝାରଖଣ୍ଡର ଚକ୍ରଧରପୁର ଡିଭିଜନର ବାରାବମ୍ବୋ ଷ୍ଟେସନ ନିକଟରେ ଲାଇନ ଚ୍ୟୁତ ହୋଇଛି ଟ୍ରେନ୍ । ଟ୍ରେନର ୧୮ଟି ବଗି ଲାଇନରୁ ବାହାରି ଯାଇଛି । ଯାହାକୁ ନେଇ ବିରୋଧୀ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଘେରିବା ଆରମ୍ଭ କରିଦେଇଛନ୍ତି । ଟିଏମସି ସାଂସଦ ମମତା ବାନାର୍ଜୀ ବିଜେପି ସରକାରରେ ରେଳଦୁର୍ଘଟଣା ଏକ ନିୟମିତ ବ୍ୟାପାର ହୋଇଥିବା ଉଲ୍ଲେଖ କରିଛନ୍ତି । ଏହି ଦୁର୍ଘଟଣାକୁ ନେଇ ସେ ସରକାର ଉପରେ ପ୍ରଶ୍ନବାଚୀ ଠିଆ କରିଛନ୍ତି । ପ୍ରତି ସପ୍ତାହରେ ରେଳ ଦୁର୍ଘଟଣା ଦୁଃସ୍ୱପ୍ନର ପୁନରାବୃତ୍ତି ଘଟୁଛି, ରେଳ ଧାରଣାରେ ମୃତ୍ୟୁ ଓ ଆହତର ଏହି ସିଲସିଲାର ଅନ୍ତ ଘଟୁ ନାହିଁ: ଆଉ କେତେ କାଳ ଆମେ ଏହାକୁ ସହ୍ୟ କରିବା ବୋଲି ମମତା ପ୍ରଶ୍ନ କରିଛନ୍ତି । ଭାରତ ସରକାରଙ୍କ ଏହି ପ୍ରକ୍ରିୟାର କଣ ଅନ୍ତ ଘଟିବ ନାହିଁ ବୋଲି ସେ ପ୍ରଶ୍ନ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ମମତା ଉଠାଇଥିବା ପ୍ରଶ୍ନ ମଧ୍ୟ ଯଥାର୍ଥ ପରି ମନେ ହେଉଛି । ପ୍ରତି ସପ୍ତାହରେ ଦେଶରେ କେଉଁଠି ନା କେଉଁଠି ରେଳ ଦୁର୍ଘଟଣା ସାମ୍ନାକୁ ଆସୁଛି । ଏହା ପୂର୍ବରୁ ପଶ୍ଚିମ ବଙ୍ଗରେ କାଞ୍ଚନ ଜଙ୍ଗା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୯ ଜଣ ମୃତ୍ୟୁବରଣ କରିଥିଲେ । ତେବେ ରେଳ ମନ୍ତ୍ରୀ ଭାବେ ଅଶ୍ୱିନୀ ବୈଷ୍ଣବ ୨୦୨୧ରେ ଦାୟିତ୍ୱ ନେବା ପରଠାରୁ ରେଳ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତାଙ୍କ କାର୍ଯ୍ୟକାଳ ମଧ୍୍ୟରେ ବିଗତ ୩ ବର୍ଷରେ ୨୫ଟି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ଏହି ସମୟରେ ହୋଇଥିବା ଦୁର୍ଘଟଣା ମଧ୍ୟରେ ସବୁଠାରୁ ବଡ ଦୁର୍ଘଟଣା ଥିଲା ବାଲେଶ୍ୱର ବାହାନଗା ଦୁର୍ଘଟଣା । ୨ ଜୁନ, ୨୦୨୩ରେ ହୋଇଥିବା ରେଳ ଦୁର୍ଘଟଣାରେ ୨୯୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ସେହିପରି ୧୩ ଜାନୁଆରୀ ୨୦୨୨ରେ କିବାନେର- ଗୌହାଟି ଏକ୍ସପ୍ରେସ ଜଲପାଇଗୁରିରେ ଲାଇନଚ୍ୟୁତ ହୋଇ ୯ ଜଣଙ୍କ ମୃତ୍ୟୁ ହୋଇଥିଲା । ୨ ଜାନୁଆରୀ ୨୦୨୩ରେ ସୂର୍ଯ୍ୟନାଗ୍ରୀ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇ ୧୦ ଜଣ ଆହତ ହୋଇଥିଲେ । ୩ ଏପ୍ରିଲ ୨୦୨୩ରେ କେରଳର କୋଜିକୋଡେରେ ଏକ ଟ୍ରେନରେ ନିଆଁ ଲାଗିଯିବାରୁ ୩ ଜଣଙ୍କ ମୃତ୍ୟୁ ହେବା ସହ ୫ ଜଣ ଗୁରୁତର ହୋଇଥିଲେ । ସେହିପରି ୨୬ ଅଗଷ୍ଟ ୨୦୨୩ରେ ଲକ୍ଷ୍ନୌ- ରାମେଶ୍ୱରମ ଭାରତ ଗୌରବ ଟ୍ରେନରେ ମଦୁରାଇ ଜଙ୍କସନରେ ନିଆଁ ଲାଗି ୯ ଜଣଙ୍କ ଜୀବନ ହାନୀ ଘଟିବା ସହ ୨୦ ଜଣ ଆହତ ହୋଇଥିଲେ । ୧୧ ଅକ୍ଟୋବର ୨୦୨୩ରେ ଆନନ୍ଦ ବିହାର ଜଙ୍କସନରେ ଉତ୍ତର ପୂର୍ବ ଏକ୍ସପ୍ରେସ ରେଳ ଧାରଣାରୁ ଖସିଯିବାରୁ ୪ ଜଣଙ୍କ ମୃତ୍ୟୁର କାରଣ ହୋଇଥିବା ବେଳେ ଏଥିରେ ୭୦ରୁ ଅଧିକ ଆହତ ହୋଇଥିଲେ । ସେହିପରି ୨୯ ଅକ୍ଟୋବର ୨୦୨୩ରେ ବିଶାଖାପାଟନମ- ରାୟଗଡା ପାସେଞ୍ଜର ଟ୍ରେନ ଦୁର୍ଘଟଣାରେ ୧୪ ମୃତ୍ୟୁ ସହ ୫୦ ଆହତ ହୋଇଥିଲେ । ୨୮ ଫେବୃଆରୀ ୨୦୨୪ରେ ଝାରଖଣ୍ଡର କାଲାଝରିଆ ରେଳ ଦୁର୍ଘଟଣାରେ ୨ ମୃତ୍ୟୁ ସହ ବହୁ ଲୋକ ଆହତ ହୋଇଥିଲେ । ୧୭ ଜୁନ ୨୦୨୪ରେ ବେଙ୍ଗଲରେ ହୋଇଥିବା ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ସହ ୬୦ ଆହତ ହୋଇଥିଲେ । ଏହା ବ୍ୟତୀତ ଅଶ୍ୱିନୀଙ୍କ ସମୟରେ ଛୋଟମୋଟ ୧୭ରୁ ଅଧିକ ଦୁର୍ଘଟଣା ହୋଇଛି, ଯେଉଁଥିରେ କାହାର ଜୀବନ ହାନୀ ଘଟିନାହିଁ । ତେବେ ଆଜିର ଏହି ଦୁର୍ଘଟଣା ପରେ ବିଭିନ୍ନ ସୋସିଆଲ ମିଡିଆରେ ଅଶ୍ୱିନୀଙ୍କୁ ୟୁଜର୍ସ କଟାକ୍ଷ କରୁଛନ୍ତି । ରେଳମନ୍ତ୍ରୀଙ୍କ ରିଲ୍ସ ପାଇଁ ଆଉ ଏକ ସୁଯୋଗ ମିଳିଛି ବୋଲି କେହି କହୁଥିବା ବେଳେ କେହି କେହି ରେଳ ଦୁର୍ଘଟଣା ପାଇଁ ମନ୍ତ୍ରୀଙ୍କୁ ବେଷ୍ଟ ରେଳମନ୍ତ୍ରୀର ସମ୍ମାନ ମିଳିବା ଉଚିତ କହି ସମାଲୋଚନା କରିଛନ୍ତି ।