ନୂଆଦିଲ୍ଲୀ : ଆରମ୍ଭ ହୋଇଗଲାଣି ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ପାଇଁ କାଉଣ୍ଟଡାଉନ୍ । ୫ ଅକ୍ଟୋବରରେ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ | ତେବେ ବିଶ୍ୱକପ୍ର ପୁରସ୍କାର ରାଶି ଘୋଷଣା କରାଯାଇଛି । ଏଥର ଚାମ୍ପିଅନ୍ ଦଳ ଟ୍ରଫି ସମେତ ୩୩.୧୮ କୋଟି ଟଙ୍କା ପୁରସ୍କାର ପାଇବେ ।
କିନ୍ତୁ ଜାଣନ୍ତି କି ୧୯୮୩ରେ ପ୍ରଥମ ଥର ବିଶ୍ୱକପ ଟ୍ରଫି ଜିତିବା ପରେ ଭାରତୀୟ ଟିମ୍ଙ୍କୁ କେତେ ଟଙ୍କା ମିଳିଥିଲା ? ବାସ୍ତବରେ କପିଲ ଦେବଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଯେତେବେଳେ ବିଶ୍ୱକପ ଜିତିଲା, ସେତେବେଳେ ଟୁର୍ଣ୍ଣାମେଣ୍ଟ ପାଇଁ ଆଇସିସି ପକ୍ଷରୁ କୌଣସି ପୁରସ୍କାର ରାଶି ପ୍ରଦାନ କରାଯାଇ ନଥିଲା । କିନ୍ତୁ ବିସିସିଆଇ ଖେଳାଳିଙ୍କୁ ପ୍ରତି ମ୍ୟାଚରେ ପ୍ରାୟ ୨୧୦୦ ଟଙ୍କା ଫି ଦେଉଥିଲା ।
ଯେତେବେଳେ ଭାରତୀୟ ଟିମ୍ ଓ୍ବାର୍ଲକପ୍ ଜିତିଲା, ବୋର୍ଡ ପ୍ରତ୍ୟେକ ଖେଳାଳିଙ୍କୁ ୨୫ ହଜାର ଟଙ୍କା ଦେବାକୁ ଘୋଷଣା କରିଥିଲା । କିନ୍ତୁ ସେତେବେଳେ ଏତେ କମ୍ ଟଙ୍କାକୁ ନେଇ ବିରୋଧ କରାଯାଇଥିଲା । ପରେ ବୋର୍ଡ ଦିଲ୍ଲୀରେ ଲତା ମଙ୍ଗେଶକରଙ୍କ ଏକ କନ୍ସର୍ଟ ଆୟୋଜନ କରିଥିଲା । ଯେଉଁଥିରେ ପ୍ରାୟ ୨୦ ଲକ୍ଷ ଟଙ୍କା ରୋଜଗାର ହୋଇଥିଲା । ଆଉ ଖେଳାଳିଙ୍କୁ ଏହି ଟଙ୍କା ଦିଆଯାଇଥିଲା ।