ଆମ ଶରୀର ପାଇଁ କେତେ ଲୁଣ ଆବଶ୍ୟକ

0

ଆମ ଦୈନନ୍ଦିନ ଜୀବନରେ ଲୁଣ ହେଉଛି ଏକ ପ୍ରମୁଖ ସାମଗ୍ରୀ । ଯାହା ବିନା ରୋଷେଇ ଅସମ୍ଭବ । ଆମ ଭିତରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ତରକାରୀରେ ଲୁଣ ପଡିଥିଲେ ବି ସେମାନେ ଆଉ ଟିକେ ଲୁଣ ଛିଞ୍ଚି ଖାଇଥାଆନ୍ତି । ହେଲେ ଆପଣ ଜାଣିଛନ୍ତି କି ଏହି ଲୁଣ ଆମ ଜୀବନ ନେଇପାର । ଅତ୍ୟଧିକ ଲୁଣ ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ । ଏକ ଅଧ୍ୟୟନରୁ ଜଣାପଡିଛି ଯେ ବେଶୀ ଲୁଣ ଖାଇଲେ ଆମ ଆୟୂଷ କମିଯାଉଛି । ଯେଉଁମାନେ ଖାଇବା ସମୟରେ ଅତିରିକ୍ତ ଲୁଣ ବ୍ୟବହାର କରନ୍ତି, ୭୫ ବର୍ଷ ବୟସ ପୂର୍ବରୁ ସେମାନଙ୍କ ମୃତ୍ୟୁ ଆଶଙ୍କା ୨୮ ପ୍ରତିଶତ ଅଧିକ ରହୁଛି । ତୁଲେନ୍ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଦୀର୍ଘ ୧୦ ବର୍ଷ ଧରି ୫ ଲକ୍ଷରୁ ଉର୍ଦ୍ଧ୍ୱ ବ୍ରିଟେନ ବାସୀଙ୍କ ଉପରେ ଏକ ଅଧ୍ୟୟନ ପରେ ଏହା ଜଣାପଡିଛି । ଅତିରିକ୍ତ ଲୁଣ ଖାଇବା ଦ୍ୱାରା ରକ୍ତରେ ଜଳ ଧାରଣ ଆଶଙ୍କା ବଢେ । ଫଳରେ ରକ୍ତ ବାହିକା ଉପରେ ଚାପ ପଡେ ଏବଂ ରକ୍ତଚାପ ବୃଦ୍ଧିପାଏ । ଏହା ହୃଦ୍ ଘାତ କିମ୍ବା ଷ୍ଟ୍ରୋକ୍ ଆଶଙ୍କା ବଢାଏ । ଆଉ ଆପଣ ଜାଣିଥିବେ ଆଜିକାଲି ହୃଦ୍ ଘାତ ଜନିତ ମୃତ୍ୟୁସଂଖ୍ୟା ବଢୁଛି । ଷ୍ଟ୍ରୋକ୍ ଏବେ ମୃତ୍ୟୁର ସବୁଠୁ ବଡ କାରଣ ପାଲଟିଛି । ଆମେରିକା ଭଳି ଦେଶରେ ଏହି ମୃତ୍ୟୁ ଆଶଙ୍କା ୫ ଗୁଣ ଅଧିକ । ବିଶେଷଜ୍ଞଙ୍କ କହିବାନୁଯାୟୀ, ବୟସ୍କମାନେ ଦିନକୁ ୬ ଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ । ପିଲାମାନେ ତା ଠୁ କମ୍ ଖାଇବା ଜରୁରୀ । ଲୁଣ ଆମ ଖାଦ୍ୟରେ ରହିଛି, କିନ୍ତୁ ଲୋକେ ଜାଣି ବି ଅତିରିକ୍ତ ଲୁଣ ଖାଉଛନ୍ତି । ଯାହା ଉଚ୍ଚ ରକ୍ତଚାପର କାରଣ ହୋଇଥାଏ । ଆମକୁ ସବୁବେଳେ ସ୍ୱାସ୍ଥ୍ୟକର ଲୁଣ ଚୟନ କରିବା ଉଚିତ । ଯେଉଁଥିରେ ସୋଡିୟମ୍ ମାତ୍ରା କମ୍ ଓ ପୋଟାସିୟମ୍ ଅଧିକ ରହିଥିବ । ଏବେ ବଜାରରେ ଏହି ଲୁଣ ସହଜରେ ମିଳୁଛି ।