ଜାଣନ୍ତୁ କେମିତି ପ୍ରସ୍ତୁତ ହୁଏ ମହାପ୍ରଭୁଙ୍କ ମହାପ୍ରସାଦ ?

0

(ମମତା ସାମଲ)ରିପୋର୍ଟସଟୁଡେ:ମହାପ୍ରଭୁ ଯେତିକି ରହସ୍ୟମୟ ସେତିକି ମଧ୍ୟ ରହସ୍ୟମୟ ତାଙ୍କ ମହାପ୍ରସାଦ ପ୍ରସ୍ତୁତି । ମହାପ୍ରସାଦ ପ୍ରସ୍ତୁତିକୁ ନେଇ ଅନେକ ଲୋକଙ୍କ ମନରେ ଏବେ ବି ଏକ ଭୁଲ ଧାରଣା ରହିଛି ।ଶ୍ରୀମନ୍ଦିର ରୋଷଶାଳାରେ କୁଆଡେ କୁଡୁଆ ଉପରେ କୁକୁଡ ରଖାଯାଇ ମହାପ୍ରସାଦ ତିଆରି ହୁଏ । ପ୍ରଥମେ ଉପର କୁକୁଡ ସିଝିଥାଏ । ଶେଷରେ ତଳହାଣ୍ଡି ସିଝେ।
ଏହି ପ୍ରକ୍ରିୟାକୁ ସଂପୂର୍ଣ୍ଣ ଭୁଲ ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି। ଏହା ଏକ ଲୋକକଥା। ଏହାକୁ ଲୋକେ ସତ ବୋଲି ମାନି ନେଇଥିବା କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି, ସୁଆର ମହାସୁଆର ନିଯୋଗର ସଂପାଦକ କୃଷ୍ଣଚନ୍ଦ୍ର ସାମନ୍ତରା।
ତାଙ୍କ କହିବା ଅନୁସାରେ ମହାପ୍ରଭୁଙ୍କ ରୋଷଶାଳାରେ ଏକ ସ୍ୱତନ୍ତ୍ର ଢଙ୍ଗରେ ମହାପ୍ରସାଦ ତିଆରି କରାଯାଏ। ମହାପ୍ରସାଦ ପ୍ରସ୍ତୁତିରେ କୁଡ଼ୁଆ ଉପରେ କୁଡ଼ୁଆ ବସେ ନାହିଁ। କେବଳ ଝିଙ୍କାରେ ହିଁ ଏକାଧିକ ହାଣ୍ଡି ବସିଥାଏ। ରୋଷଶାଳାରେ ଏକାଧିକ ଚୁଲି ରହିଛି। ପ୍ରତି ଚୁଲାରେ ୬ ଟି ଲେଖା ଝିଙ୍କା ରହିଛି। ଏହି ଝିଙ୍କାରେ ହାଣ୍ଡି ବସିଥାଏ। ସବୁ ହାଣ୍ଡିକୁ ନିଆଁ ବାଜିଥାଏ। ରୋଷଘର ବେଢ଼ା ଭିତରେ ଥିବା ଗଙ୍ଗା ଯମୁନା କୁଅରୁ ପାଣି ଆସି ରୋଷେଇରେ ଲାଗି ଥାଏ।
ରୋଷେଇ ସମୟରେ ଥାଏ କଟକଣା
ଏଥିପାଇଁ ଅନେକ କଟକଣା ମଧ୍ୟ ରହିଛି। ଯେମିତିକି ରୋଷେି ସମୟରେ ପାନ କିମ୍ବା ଅନ୍ୟ କିଛି ଖାଇବେ ନାହିଁ, ଗୀତ ଗାଇବେ ନାହିଁ, କାନ୍ଦିବେ ନାହିଁ, କଳି କିମ୍ବା ଗାଳି କରିବେ ନାହିଁ। ଏହି ସବୁ ନୀତି ନିୟମ ମାନି ସୁଆର ମହାସୁଆର ମହାପ୍ରସାଦ ପ୍ରସ୍ତୁତ କରିଥାନ୍ତି।
ମହାପ୍ରସାଦ ତିଆରି ହେଉଥିବା ହାଣ୍ଡିର ନାଁ
ମହାପ୍ରସାଦ ତିଆରି ହେଉଥିବା ହାଣ୍ଡିର ବି ଅଲଗା ଅଲଗା ନାଁ ରହିଛି। ଯଥା ବାଇ ହାଣ୍ଡି, ସମାଧି ହାଣ୍ଡି,ଦାଇଆ ହାଣ୍ଡି, ଏମାର ହାଣ୍ଡି,ବଡ଼ମଠ ଓ ସାନମଠ ହାଣ୍ଡି।