ଫିନିକ୍ସ୍: ଦାନ ପାତ୍ରରେ ମଣିଷ ଖପୁରି | ଆମେରିକୀୟ ପ୍ରଦେଶ ଏରିଜୋନାରେ ଥିବା ଏକ ‘ଗୁଡ୍ୱିଲ୍ ଷ୍ଟୋର୍’ରେ ରଖାଯାଇଥିବା ଏକ ଦାନପାତ୍ରରୁ (ବାକ୍ସ) ମଣିଷ ଖପୁରି ବାହାରିବା ସଂକ୍ରାନ୍ତରେ ପୁଲିସ ତଦନ୍ତ କରୁଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ଏ ନେଇ ମଙ୍ଗଳବାର ଦିନ ପୁଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦାରଖ କରିଥିଲା | ପରେ ସାମଗ୍ରୀଟି ପ୍ରକୃତରେ ମଣିଷ ଖପୁରି ବୋଲି ଜଣ ପଡିଥିଲା ।
ପୁଲିସ ଉକ୍ତ ଖପୁରିକୁ ଡାକ୍ତରୀ ପରୀକ୍ଷା ପାଇଁ ମାରିକୋପା କାଉଣ୍ଟି ମେଡିକାଲ୍ ଏକ୍ଜାମିନର୍କୁ ପଠାଇଥିଲା। ଅନ୍ଲାଇନ୍ରେ ସେୟାର୍ କରାଯାଇଥିବା ଫଟୋରେ ଦେଖାଯାଉଛି ସେ ଖପୁରିର ଉପର ମାଢ଼ିରେ କେତୋଟି ଦାନ୍ତ ମଧ୍ୟ ଅଛି, କିନ୍ତୁ ଅଧଃହନୁ (ତଳ ମାଢ଼ି) ନାହିଁ। ସେହିପରି, ବାମ ପାର୍ଶ୍ବ ଆଖି କୋରଡ଼ରେ ଲାଗିଛି ଗୋଟାଏ କୃତ୍ରିମ ଆଖି। ଖପୁରି ସାରା କଳା ଦାଗ ପଡ଼ିଛି।ତାହା ଅତି ପ୍ରାଚୀନ ଖପୁରି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିବା ପରେ ସେଥିଲାଗି ଫୋରେନ୍ସିକ୍ ପରୀକ୍ଷା ଅନାବଶ୍ୟକ ବୋଲି ପୁଲିସ ମୁଖପାତ୍ରୀ ଲିଜା ବେରି କହିଛନ୍ତି |