ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସରେ ଯାତ୍ରା କରୁଥିବା ଯାତ୍ରୀ ଆଜି ହଟହଟା ହୋଇଛନ୍ତି । କାରଣ ସକାଳୁ ଏହି ଦୁଇ ଏୟାରଲାଇନ୍ସର ୮୬ଟି ବିମାନ ଉଡ଼ାଣ ବାତିଲ ହୋଇଛି । କାରଣ ଅନେକ ପାଇଲଟଙ୍କ ସହ ପାଖାପାଖି ୩୦୦ କ୍ରୁ ମେମ୍ବର୍ସ ଏକକାଳୀନ ସିକ୍ ଲିଭ୍ ନେଇ ଛୁଟିରେ ଯାଇଛନ୍ତି । ତେବେ ଏତେ ସଂଖ୍ୟକ କ୍ରୁ ମେମ୍ବର୍ସ ହଠାତ ଏଭଳି ପଦକ୍ଷେପ କାହିଁକି ନେଇଛନ୍ତି ତାହା ଏଯାଏଁ ଜଣାପଡିନାହିଁ ।
ସୂଚନା ଅନୁସାରେ, ବିମାନ ଚାଳକ ଟିମର ଅନେକ ସଦସ୍ୟ ମଙ୍ଗଳବାର ହଠାତ ଅସୁସ୍ଥତା ଦର୍ଶାଇ ଛୁଟି ପାଇଁ ଆବେଦନ କରିଥିଲେ। ଏହାପରେ ସମସ୍ତ ସଦସ୍ୟଙ୍କ ମୋବାଇଲ୍ ସୁଇଚ୍ ଅଫ୍ ରହିଛି। ସେମାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ବି ସମ୍ଭବ ହୋଇ ନ ଥିବା ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଏନେଇ ଏୟାର ଇଣ୍ଡିଆ ପ୍ରବକ୍ତା କହିଛନ୍ତି ଯେ ଶତାଧିକ କ୍ୟାବିନ୍ କ୍ରୁ ମେମ୍ବର ଏକା ସାଙ୍ଗରେ ଅସୁସ୍ଥ ହୋଇଛନ୍ତି। ଫଳରେ ବାଧ୍ୟ ହୋଇ ଆମକୁ ବହୁ ବିମାନ ବାତିଲ କରିବା ସହ କେତେକ ବିମାନକୁ ବିଳମ୍ବରେ ଛାଡିବାକୁ ପଡୁଛି। ଯାତ୍ରୀମାନେ ଏଥିପାଇଁ ହଇରାଣ ହେଉଥିବାରୁ ସେମାନଙ୍କ ନିକଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରୁଛୁ ବୋଲି କହିଛନ୍ତି। ଉଡାଣ ଭରିବାକୁ ଥିବା ବିମାନଗୁଡିକ ବାତିଲ ହେବାରୁ ଯାତ୍ରୀମାନଙ୍କୁ ସେମାନଙ୍କ ଟଙ୍କା ସମୂର୍ଣ୍ଣ ରୂପେ ଫେରାଇ ଦିଆଯିବ। ଯଦି ଯାତ୍ରୀମାନେ ଚାହିଁବେ ସେମାନେ ଅନ୍ୟ ତାରିଖକୁ ଘୁଞ୍ଚାଇ ପାରିବେ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି।