(ଗଂଜାମ /ହରପ୍ରସାଦ ବିଷୋୟୀ) : ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଏବଂ ଐତିହାସିକ ଦଣ୍ଡ ଯାତ୍ରା ଓ ଚୈତ୍ର ପର୍ବ ଆରମ୍ଭ ହୋଇଛି । ଏହାକୁ ନେଇ ଶହ ଶହ ପ୍ରବାସୀ ଓଡ଼ିଆ ନିଜ ଗ୍ରାମକୁ ଫେରୁଥିବା ଦେଖିବାକୁ ମିଳିଛି । ବିଶେଷକରି ଗୁଜୁରାଟ ଓ ମହାରାଷ୍ଟ୍ରରୁ ଅନେକ ଲୋକ ଆସୁଛନ୍ତି । ସେପଟେ କରୋନାର ଦ୍ଵିତୀୟ ଲହରୀ ଆରମ୍ଭ ହେବ ପରେ ଏହି ୨ଟି ରାଜ୍ୟରେ ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଉ ସେହି ରାଜ୍ୟର ପ୍ରବାସୀ ଓଡିଆ ଫେରିଥିବାରୁ ଗଞ୍ଜାମ ପ୍ରଶାସନର ଚିନ୍ତାର କାରକ ପାଲଟିଛି । ସୁରଟରୁ ଓଡିଶାକୁ ଆସିଥିବା ଏହି ଟ୍ରେନରେ ଗଞ୍ଜାମ ତଥା ରାଜ୍ୟର ଅନ୍ୟ ସ୍ଥାନକୁ ଶହ ଶହ ଓଡିଆ ଲୋକେ ଆସିଛନ୍ତି । ବ୍ରହ୍ମପୁର ଷ୍ଟେସନର ଏହି ଦୃଶ୍ୟ ଏକ ବର୍ଷ ପଛକୁ ନେଉଯାଉଛି ଏବଂ ଲକଡାଉନ ସମୟରେ ଫେରୁଥିବା ପ୍ରବାସୀ ଦୃଶ୍ୟକୁ ମନେ ପକାଇ ଦେଇଛି । ସେପଟେ ଗୁଜୁରାଟର କିଛି ଅଂଚଳରେ ନାଇଟ କର୍ଫ୍ୟୁ ଜାରି ହୋଇଥିବାରୁ ପ୍ରବାସୀ ଫେରିବା ଘଟଣା ସଂକ୍ରମଣର ଭୟ ବଢାଇଛି । ଜିଲ୍ଲାରେ ଦଣ୍ଡଯାତ୍ରା, ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଚାଲୁଥିବାରୁ ମାନସିକ ରଖିଥିବା ଲୋକେ ଘରକୁ ଫେରୁଛନ୍ତି । ରେଳ ଷ୍ଟେସନରୁ ବାହାରୁଥିବା ପ୍ରବାସୀଙ୍କ ସ୍କ୍ରିନିଂ କରାଯିବା ସହ ଲକ୍ଷଣ ଥିଲେ ଆଂଟିଜେନ ଟେଷ୍ଟ କରାଯାଉଛି । ପୂର୍ବରୁ ଜିଲ୍ଲା ପ୍ରଶାସନ ଦୁରଦୃଷ୍ଟି ହୋଇ ମହାରାଷ୍ଟ୍ର ଓ ଗୁଜୁରାଟରୁ ଆସିଲେ ୭ ଦିନ ସଙ୍ଗରୋଧରେ ରହିବାକୁ ପଡିବ ବୋଲି ଘୋଷଣା କରିଥିଲେ ।