ଟି-୨୦ ବିଶ୍ୱକପ ପାଇଁ ଭେନ୍ୟୁ ଚୂଡାନ୍ତ ହୋଇଛି । ଏଥର ୱେଷ୍ଟଇଣ୍ଡିଜ ଓ ଆମେରିକା ମିଳିତ ଭାବେ ଆୟୋକ ଅଛନ୍ତି । ଆଇସିସି ପକ୍ଷରୁ ବିଶ୍ୱକପ୍ ମ୍ୟାଚ୍ ଆୟୋଜନ ପାଇଁ ଆମେରିକାର ୩ଟି ଭେନ୍ୟୁ ଚୂଡ଼ାନ୍ତ କରାଯାଇଛି । ଟେକ୍ସାସର ଡଲାସ୍ ଠାରେ ଥିବା ଗ୍ରାଣ୍ଡ୍ ପ୍ରାଇରି ଷ୍ଟାଡିୟମ, ଫ୍ଲୋରିଡାର ଲାଉଡରହିଲ୍ ସ୍ଥିତ ବ୍ରୋୱାର୍ଡ଼ କାଉଣ୍ଟି ଷ୍ଟାଡିୟମ ଏବଂ ନ୍ୟୁୟର୍କରେ ବିଶ୍ୱକପ୍ ମ୍ୟାଚ୍ ଖେଳାଯିବ । ଗ୍ରାଣ୍ଡ୍ ପ୍ରାଇରି ଓ ବ୍ରୋୱାର୍ଡ଼ କାଉଣ୍ଟି ଷ୍ଟାଡିୟମର ଦର୍ଶକ ଧାରଣ କ୍ଷମତା ବୃଦ୍ଧି କରାଯିବ ।
ସେହିପରି ନ୍ୟୁୟର୍କର ଆଇଜନହାୱର ପାର୍କ ଠାରେ ନୂଆ କରି ଏକ ଅସ୍ଥାୟୀ ମଡ୍ୟୁଲାର ଷ୍ଟାଡିୟମ ନିର୍ମାଣ କରାଯିବ । ଯାହାର ଦର୍ଶକ ଧାରଣ କ୍ଷମତା ୩୪,୦୦୦ ରହିବ ବୋଲି ଆଇସିସି ପକ୍ଷରୁ ସୂଚନା ଦିଆଯାଇଛି । ଟି-ଟ୍ୱେଣ୍ଟି ବିଶ୍ୱକପ୍-୨୦୨୪ ପାଇଁ ପ୍ରଥମେ ଆମେରିକାର ୪ଟି ଭେନ୍ୟୁ ତାଲିକାଭୁକ୍ତ କରାଯାଇଥିଲା । ସେଥିମଧ୍ୟରୁ ମୋରିସ୍ଭିଲକୁ ବାଦ୍ ଦିଆଯାଇଛି ।
ତେବେ ଆଇସିସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ନ୍ୟୁୟର୍କରେ ପ୍ରତିଷ୍ଠା ହେବାକୁ ଥିବା ନୂଆ ଷ୍ଟାଡିୟମରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ । ସେହିପରି ୱେଷ୍ଟଇଣ୍ଡିଜ୍ର ୭ଟି ଭେନ୍ୟୁରେ ବିଶ୍ୱକପ୍ ମ୍ୟାଚ୍ ଆୟୋଜିତ ହେବ ।
ବିଶ୍ୱକପ୍ର ନବମ ସଂସ୍କରଣରେ ମୋଟ ୨୦ଟି ଦଳ ଭାଗ ନେବେ । ଦଳ ଗୁଡ଼ିକୁ ୪ଟି ଗ୍ରୁପ୍ (୫ଟି ଲେଖାଏଁ)ରେ ଭାଗ କରାଯିବ। ପ୍ରତି ଗ୍ରୁପ୍ର ଶ୍ରେଷ୍ଠ ପ୍ରଦର୍ଶନକାରୀ ୨ଟି ଲେଖାଏଁ ଦଳ ସୁପର-୮କୁ ଉନ୍ନୀତ ହେବେ । ସୁପର-୮ରେ ୨ଟି ଗ୍ରୁପ୍ରେ ୪ଟି ଲେଖାଏଁ ଦଳ ଭାଗ ନେବେ । ସେଥିମଧ୍ୟରୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ୨ଟି ଲେଖାଏଁ ଦଳ ସେମି ଫାଇନାଲ୍ରେ ପ୍ରବେଶ କରିବେ ।