ଡ୍ରୋନ ଦ୍ୱାରା ପଠାଯାଇଥିବା ରକ୍ତକୁ ସଫଳ ପରୀକ୍ଷଣ କଲା ଆଇସିଏମଆର

0

ନୂଆଦିଲ୍ଲୀ : ଆଜିକାଲି ଡ୍ରୋନର ବ୍ୟବହାର ବହୁଳ ମାତ୍ରାରେ ବୃଦ୍ଧି ପାଉଛି । କେବଳ ଯୁଦ୍ଧ କ୍ଷେତ୍ରରେ ଶତ୍ରୁ ପକ୍ଷର କ୍ଷତି କରିବା ପାଇଁ ନୁହେଁ ବରଂ ମଣିଷ ସମାଜର ଉପକାର ପାଇଁ ମଧ୍ୟ ଡ୍ରୋନର ବ୍ୟବହାର କରାଯାଉଛି । ଏବେ ଡାକ୍ତରୀ କ୍ଷେତ୍ରରେ ବି ଡ୍ରୋନର ପ୍ରୟୋଗ ଆରମ୍ଭ ହୋଇସାରିଛି । ଦିଲ୍ଲୀରେ ପ୍ରଥମ ଥର ପାଇଁ ଡ୍ରୋନ ମାଧ୍ୟମରେ ରକ୍ତ ପ୍ରେରଣ ପରୀକ୍ଷଣ କରାଯାଇଛି । ଡ୍ରୋନ୍ ଜରିଆରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ରକ୍ତ ବ୍ୟାଗ୍ ପରିବହନ କରାଯାଇଥିଲା । ଆଇସିଏମଆର ପକ୍ଷରୁ କରାଯାଇଥିବା ଏହି ପରୀକ୍ଷଣ ଆପାତତଃ ସଫଳ ହୋଇଛି । ଆଉ କିଛି ପର୍ୟ୍ୟାୟ ପରୀକ୍ଷଣ ପରେ ସାରା ଦେଶରେ ଏଥିପାଇଁ ଅନୁମତି ଦିଆଯିବ । ଏହି ପରୀକ୍ଷଣ ସମ୍ପର୍କରେ ସୂଚନା ଦେଇ ଆଇସିଏମଆରର ମହାନିର୍ଦ୍ଦେଶକ ଡ. ରାଜୀବ ବେହଲ କହିଛନ୍ତି ଯେ ରକ୍ତ ପରୀକ୍ଷଣ ପାଇଁ କେତେକ ନିର୍ଦ୍ଦିଷ୍ଟ ମାନଦଣ୍ଡ ପାଳନ କରାଯାଏ । ରକ୍ତକୁ ନିର୍ଦ୍ଦିଷ୍ଟ ତାପମାତ୍ରାରେ ପ୍ରେରଣ କରାଯାଇଥାଏ । ଡ୍ରୋନ ମାଧ୍ୟମରେ ନିର୍ଦ୍ଦିଷ୍ଟ ତାପମାତ୍ରା ଥିବା ବାକ୍ସରେ ରକ୍ତ ଥଳିକୁ ରଖି ପ୍ରେରଣ କରାଯାଇଥିଲା । ଏହା ପରେ ରକ୍ତର ଗୁଣବତ୍ତାକୁ ପରୀକ୍ଷା କରାଯାଇଥିଲା । ପରୀକ୍ଷାରୁ ଜଣାପଡ଼ିଲା ଯେ ରକ୍ତର ଗୁଣବତ୍ତାରେ କୌଣସି ପରିବର୍ତ୍ତନ ହୋଇନଥିଲା ।