ବ୍ୟୁରୋ : ସାଧାରଣତଃ ମହିଳା ମାନେ ସରପଞ୍ଚ ଥିଲେ ପଞ୍ଚାୟତର ସମସ୍ତ କାର୍ଯ୍ୟ ତାଙ୍କ ସ୍ୱାମୀ ମାନେ ନିର୍ବାହ କରନ୍ତି । ଏହି ଧାରା ଦୀର୍ଘ ବର୍ଷ ଧରି ଚଳି ଆସୁଛି । ଏନେଇ ଅନେକ ସମୟରେ ପ୍ରଶ୍ନ ଉଠିଛି । କିନ୍ତୁ ଏହି ବ୍ୟବସ୍ଥା ବନ୍ଦ କରିବା ପାଇଁ ପୂର୍ବ ସରକାର କୌଣସି ବିଶେଷ ପଦକ୍ଷେପ ଗ୍ରହଣ କରିନାହାଁନ୍ତି । ହେଲେ ମୋହନ ସରକାର ଏହି ବିଷୟରେ କଡା ଆଭିମୁଖ୍ୟ ଦେଖାଇଛନ୍ତି ।
ତୃଣମୂଳ ସ୍ତରରେ ଅର୍ଥାତ ପଞ୍ଚାୟତରେ ଆଉ ଚଳିବ ନାହିଁ ମନମାନୀ । ତେବେ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳା ମାନେ କ୍ଷମତାରେ ଥାଇ ପୁରୁଷମାନେ କାର୍ଯ୍ୟଭାର ତୁଲାଇବାର ନଜିର ରହିଛି । ଯାହାକୁ ବିଜେପି ବିରୋଧି ଦଳରେ ଥିବା ବେଳେ ବିରୋଧ କରି ଆନ୍ଦୋଳନ ମଧ୍ୟ କରିଥିଲା । ଆଉ ଏବେ ସରକାରକୁ ଆସିଲା ପରେ ଏହାକୁ ଗୁରୁତ୍ୱ ଦେଇଛି ଶାସକ ଦଳ । ପ୍ରକ୍ସି ସରପଞ୍ଚ ଗଣତନ୍ତ୍ର ପାଇଁ ବିପଦ । ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । ଏକ ଘରୋଇ ଚ୍ୟାନେଲକୁ ସ୍ୱତନ୍ତ୍ର ସାକ୍ଷାତକାର ଦେବା ସମୟରେ, ଏହା ବିଜେଡିର କୁକର୍ମର ଫଳ । ଯେଉଁଠି ଏପରି ଚାଲିଥିବ ତୁରନ୍ତ ଜନତା ବିଡିଓ କିମ୍ବା ବିଭାଗକୁ ଜଣାନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି । ଅଭିଯୋଗ ଆସିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହେବ। ଏପରିକି ଏଭଳି ଘଟଣା ପାଇଁ ୧୫ ଜଣ ସରପଂଚଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ହୋଇଛି ବୋଲି କହିଛନ୍ତି ମନ୍ତ୍ରୀ । ସେପଟେ ସବୁ କଥାରେ ବିଜେଡିକୁ ଦୋଷ ଦେବା ବିଜେପିର ଅଭ୍ୟାସରେ ପରିଣତ ହୋଇଛି କହି ବର୍ଷିଛି ବିଜେଡି ।
ସରପଂଚଙ୍କ ପ୍ରତିନିଧିଙ୍କ ମାମଲତିରେ ଅତିଷ୍ଟ ହେଲେଣି ଜନତା । ଯାହାର ପୁଳା ପୁଳା ଉଦାହରଣ ରହିଛି । ଅନେକ ସ୍ଥାନରେ ମହିଳା ସରପଂଚ ଓ ସମିତି ସଭ୍ୟମାନଙ୍କୁ ରବର ଷ୍ଟାମ୍ପ କରି ପୁରୁଷମାନେ ଶାସନ ଚଳାଉଛନ୍ତି । ଖାଲି ଏତିକି ନୁହେଁ ବିଭିନ୍ନ ସମୟରେ ସରକାରୀ ବୈଠକରେ ମଧ୍ୟ ସରପଂଚଙ୍କ ପ୍ରତିନିଧି କହି ବସୁଛନ୍ତି । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଜନତା ।
ପଞ୍ଚାୟତିରାଜ ବ୍ୟବସ୍ଥା ହେଉଛି ସରକାରଙ୍କ ମେରୁଦଣ୍ଡ । ଯଦି ସେଥିରେ ଅବ୍ୟବସ୍ଥା ହୁଏ ତାହେଲେ ସମ୍ପୁର୍ଣ୍ଣ ଶାସନ ଢିଲା ପଡିଯିବ । ତେଣୁ ଏଭଳି କଡା ଆଭିମୁଖ୍ୟ ଆପଣାଇବାକୁ ଯାଉଛନ୍ତି ନୂଆ ସରକାର। ହେଲେ, ଏହା କେତେ କାର୍ୟ୍ୟକାରୀ ହେଉଛି ନା କେବଳ ଘୋଷଣାରେ ରହିଯିବ, ତା ଉପରେ ନଜର।