ବ୍ୟୁରୋ : ପଖାଳ । ଓଡିଆ ହୁଅନ୍ତୁ ବା ମହାପ୍ରଭୁ ଶ୍ରୀ ଜଗନ୍ନାଥ ସମସ୍ତେ ଭଲପାଆନ୍ତି ପଖାଳ । କଂସାଏ ପଖାଳ ମେଣ୍ଟାଏ ଭୋକ ଆଉ ଶୋଷ । ଖରା, ବର୍ଷା, ଶୀତ ପ୍ରତ୍ୟେକଟି ସମୟରେ ତା’ର ମଜା ଅଲଗା ସ୍ୱାଦ ବି ଅଲଗା । ଉଦୁଉଦିଆ ଖରା ବେଳେ ସେ ବାସି ପଖାଳ ହେଉ କି ଶୀତୁଆ ସକାଳରେ ଖରାରେ ବସି ପଖାଳ ଖାଇବାର ମଜା ବେଶ ନିଆରା । ପାଖରେ ମଟନ, ଚିକେନ, ମାଛ ଥିଲେ ବି ପଖାଳର ମଜା କେଉଁଥିରେ ନାହିଁ ।
ପଖାଳ ସହ ଶାଗ, ମାଛ, ପାଗ, ବଢି ଚୂରାରେ ଜମିଯାଏ ଖାଦ୍ୟର ପସରା । ପଖାଳକୁ ନେଇ ଏବେ ଟ୍ରେଣ୍ଡ ଆରମ୍ଭ ହୋଇଗଲାଣି । ଖାସ କରି ଆଜି ପଖାଳ ଦିବସ ପାଳନ ହେଉଥିବାରୁ ବଡ଼ବଡ଼ ହୋଟେଲ୍ରେ ବି ଭେରାଇଟି ପଖାଳ ବିକ୍ରି । ଯିଏ ଯେମିତିକା ଚାହିଁବ ସିଏ ସେମିତିକା ଖାଇବ । ଆମର ଆରାଧ୍ୟ ଦେବତା ଯେବେ ପଖାଳ ପ୍ରିୟ ସେବେ ଓଡ଼ିଆ ବା ଏଥିରୁ ଦୂରେଇ ରହିବେ କେମିତି ।
ଓଡ଼ିଆ ଘରେ କିଛି ଥାଉ କି ନଥାଉ । କଂସେ ପଖାଳ ନିହାତି ଥିବ । ଇଏ ଓଡ଼ିଆ ଜାତିର ଗର୍ବ ଓ ଗୌରବ । କହିବାକୁ ଗଲେ ଓଡ଼ିଆ ହାଣ୍ଡିଶାଳର ସ୍ୱତନ୍ତ୍ର ବ୍ୟଞ୍ଜନ ପଖାଳ । ଖାସ କରି ପଖାଳ ସାଙ୍ଗରେ ଆଳୁ ଚକଟା, ବଡ଼ି ଭଜା, କଂଚାଲଙ୍କା , ରସୁଣ ସାଙ୍ଗକୁ କଂଚା ସୋରିଷ ତେଲ । ଖାଦ୍ୟ ଟା ଯେମିତି ତନ ମନ ସବୁ ଶାନ୍ତ କରିଦିଏ । ଏହା ଛଡା ଆଳୁ ପୋଡା, ବାଇଗଣ ପୋଡା ସାଙ୍ଗକୁ ଶୁଖୁଆ ମିଳିଗଲେ ତ କଥା ସରିଲା । ବସି ଖାଉଥିବ ମନ ଗାଉଥିବ । ବିଶେଷ କରି ଖରାରୁ ଆସି ପଖାଳ ଗଣ୍ଡେ ପେଟ ପାଟି ସବୁ ଖୁସି । ତାତି ଯେତେ ଥାଉ ପଖାଳ କଂସାରେ ସବୁ ଯେମିତି ଉଭେଇଯାଏ । ଏବେ ଠୁ ଖରା ଯେମିତି ଦାଉ ସାଧିଲାଣି ପଖାଳ କଂସା ଦେଖିଲେ ମନ ଖାଇବ ବୋଲି ନାଚି ଉଠୁଛି ।
ଆଜି ସେହି ପଖାଳ ପାଇଁ ସ୍ୱତନ୍ତ୍ର ଦିବସ ପାଳୁଛନ୍ତି ସଭିଏଁ । ଖଟିଖିଆର ଚୁଲିମୁଣ୍ଡରୁ ଆରମ୍ଭ କରି ପଞ୍ଚତାରକା ହୋଟେଲ ସବୁ ସ୍ଥାନରେ ଆଜି ପଖାଳର ଚାହିଦା । ଓଡ଼ିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଆହୁରି ଅଧିକରୁ ଅଧିକ ଲୋକପ୍ରିୟ କରିବା ଲାଗି ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଉଛି । ଯଦିଓ ପଖାଳ ଓଡ଼ିଆଙ୍କ ନିତି ଦିନିଆ ଖାଦ୍ୟ, ମାତ୍ର ଖରା ଦିନରେ ଏହା ବେଶି ମନେ ପଡ଼ିଥାଏ । ଆଉ ତୋରାଣିରେ କସି ଆମ୍ଭ ସହ କାକୁଡି ପଡିଗଲେ ସେ ପଖାଳ କଂସାର ତ ଜବାବ ନାହିଁ ।
ସୋସିଆଲ ମିଡିଆରେ ବି ଟ୍ରେଣ୍ଡ କରୁଛି ପଖାଳ ଦିବସ । ସେଲିବ୍ରିଟିଙ୍କଠୁ ଆରମ୍ଭ କରି ରାଜନେତା ଆଜି ଖାଉଛନ୍ତି ପଖାଳ । ତେବେ ଆପଣଙ୍କ ହାଣ୍ଡିଶାଳରେ ପଖାଳ ସହ ଆଉ କେଉଁ ସବୁ ଡିସ୍ ବନେଇଛନ୍ତି କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ…. ଆଉ ପଖାଳ ଖାଇ ଓଡିଆପଣିଆ ବଜାୟ ରଖନ୍ତୁ ।