ବସ୍ତା /ଅଜିତ୍ ସାହୁ: ବେଆଇନ ନାଲି ଇଟାଭାଟି କୁ ପ୍ରଶାସନ ତାଗିଦ୍ । ଇଟାଭାଟି ବନ୍ଦ କର, ତାହା ନହେଲେ ଉଚ୍ଛେଦ କରାଯିବ ବୋଲି ଚେତାବନୀ। ଏଠାରେ ସୂଚନା ଥାଉକି ଜଳେଶ୍ଵର, ବାଲିଆପାଳ, ବସ୍ତା ତହସିଲ ଅଞ୍ଚଳରେ ମାଳ ମାଳ ବେଆଇନ ନାଲି ଇଟା ଭାଟି ଗଢି ଉଠିଛି। ଯାହା ପାଇଁ ଦିନକୁ ଦିନ ମାଟି ଓ ବାଲି ଚୋରି ବୃଦ୍ଧି ପାଉଥିବା ବେଳେ, ସରକାର ମୋଟା ଅଙ୍କର ରାଜସ୍ବ ହରାଉଛନ୍ତି। ବାୟୁ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି । ଯାହାପାଇଁ ସାଧାରଣ ଲୋକ ଅତିଷ୍ଠ ହେଉଥିବା ବେଳେ, ଇଟା ଭାଟି ପରିସରରେ ଶ୍ରମିକଙ୍କ ସୁରକ୍ଷା ନେଇ ବଡ ପ୍ରଶ୍ନବାଚି । ବସ୍ତା ତହସିଲ ତଥା ସିଂଲା ଥାନା ରଘୁନାଥପୁର ପଞ୍ଚାୟତ ଆମ୍ବକୁଡୁଚି ଗ୍ରାମରେ ଗତ ୨୪ ତାରିଖ ରାତ୍ରି ପ୍ରାୟ ୯ଟା ବେଳେ, ଟାଟା ନାମକ ବେଆଇନ ନାଲି ଇଟା ଭାଟି ପରିସରରେ ଅଗ୍ନିକାଣ୍ଡ ଘଟିଥିଲା।ଶ୍ରମିକ ମାନେ ପିଲାଛୁଆ ଙ୍କୁ ଧରି ସୋଇଥିବା ବେଳେ, ତାଙ୍କର ଚାଳଛପର ନଡ଼ା କୁଟା ଘର ସହିତ ଆସବା ପତ୍ର ,ଘରକରଣା ସଜ ସହିତ ଜରୁରୀ କାଗଜ ପତ୍ର ଆଧାର କାର୍ଡ, ଭୋଟ ପରିଚୟ ପତ୍ର, ରାସନ କାର୍ଡ, ପୋଲିଓ କାର୍ଡ ,ବ୍ୟାଙ୍କ୍ ପାସ ବୁକ୍ ଭଳି ଜରୁରୀ କାଗଜ ପତ୍ର ପୋଡି ପାଉଁଶ ହୋଇ ଯାଇଥିଲା। ତେବେ ସୌଭାଗ୍ୟ ବସତ୍ ସମସ୍ତ ଶ୍ରମିକ ଏବଂ ତାଙ୍କ ପିଲାଛୁଆ ବର୍ତ୍ତିଯାଇଥିଲେ। ତେବେ ରାତାରାତି ବେଆଇନ ଭାବେ ମାଳମାଳ ନାଲି ଇଟାଭାଟି ଗଢି ଉଠୁଥିଲେ ବି ଏଥି ପ୍ରତି ରାଜ୍ୟସରକାର, ଜିଲ୍ଲା ପ୍ରଶାସନ, ତହସିଲ ପ୍ରଶାସନ କିମ୍ବା ସ୍ଥାନୀୟ ପୋଲିସ କୌଣସି ଶକ୍ତ କାର୍ଯ୍ୟାନୁଷ୍ଠାନ ନେଉନାହିଁ ବରଂ ନୀରବ ଦ୍ରଷ୍ଟା ସାଜି ଚୁପ ବସିଛି ଖବର ପ୍ରସାରଣ ହୋଇଥିଲା। ତେବେ ଖବର ବାଜିବା ପରେ ପ୍ରଶାସନ ଚେଇଁ ଉଠିଛି । ବାଲେଶ୍ଵର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଙ୍କ ନିର୍ଦ୍ଦେଶ କ୍ରମେ ବସ୍ତା ତହସିଲଦାର ରାଧରଞ୍ଜନ ଦାସ ଉକ୍ତ ଭାଟିରେ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ, ଅନ୍ୟଥା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯିବ ବୋଲି କଡା ଚେତାବନୀ ଦେଇଛନ୍ତି।