ପ୍ରାଚୀ ଉପତ୍ୟକାରୁ ମୂଲ୍ୟବାନ ମୂର୍ତ୍ତି ଚୋରି

0

(ମମତା ସାମଲ)ରିପୋର୍ଟସଟୁଡେ: ପ୍ରାଚୀ ଉପତ୍ୟକାରେ ଥିବା ପ୍ରତ୍ୟେକ ମନ୍ଦିର ପଛରେ ରହିଛି ଗୋଟିଏ ଗୋଟିଏ କାହାଣୀ । ୭ମରୁ ୧୫ଶହ ଶତାଦ୍ଦୀର ଏହି ପ୍ରାଚୀ ସଭ୍ୟତା ସମୟର ପ୍ରାଚୀନ ମନ୍ଦି ଆଉ ଦେଖିବାକୁ ମିଳୁନାହିଁ । ବାରଙ୍ଗର ଡାକାମ୍ବଠାରୁ ଆରମ୍ଭ ହୋଇଥିବା ପ୍ରାଚୀ ନଦୀ ଅସ୍ତରଙ୍ଗର କେଉଟଜଙ୍ଗା ପର୍ଯ୍ୟନ୍ତ ଅଞ୍ଚଳରେ ପ୍ରାୟ ୮୦ମନ୍ଦିରକୁ ଚିହ୍ନଟ କରାଯାଇଛି । ମନ୍ଦିରରେ ଥିବା ବହୁ ପ୍ରାଚୀନ ପ୍ର୍ତିମା ଚୋରି ହୋଇଯାଇଛି ।
ପୋଲିସ ରେକର୍ଡ ମୁତାବକ ୫୫ଟା ମୁର୍ତି ଚୋରି ମାମଲା ଡାଏଲ ହୋଇଥିବାବେଳେ ସେଥିମଧ୍ୟରୁ ମାତ୍ର ୩ଟି ମୂର୍ତି ଉଦ୍ଧାର କରାଯାଇଛି । ଏବେ ମନ୍ଦିର ବାହାରେ କିମ୍ବା ଗଛ ତଳେ ପାଖାପାଖି ୨୨ଶହ ମୂର୍ତ୍ତି ଅବ୍ୟବସ୍ଥିତ ଭାବେ ପଡିରହିଛି । ୩୫କିଲୋମିଟର ମଧ୍ୟରେ ୨ଶହ ପାଖାପାଖି ମନ୍ଦିର ନିଶ୍ଚିହ୍ନ ହୋଇଯାଇଛି । ଦି ଇଣ୍ଡିଆନ୍‌ ନାସ୍‌ନାଲ୍‌ ଟ୍ରଷ୍ଟ୍‌ ଫର୍‌ ଆର୍ଟ ଆଣ୍ଡ୍‌ କଲ୍‌ଚରାଲ୍‌ ହେରିଟେଜ୍‌ (ଇନ୍‌ଟାକ୍‌) ପକ୍ଷରୁ ପ୍ରାଚୀ ଉପତ୍ୟକା ସମ୍ପର୍କରେ ୧୮ ମାସର ଅଭିଯାନ ପରେ ପ୍ରକାଶ ପାଇଥିବା ରିପୋର୍ଟ ‘ଦି ପ୍ରାଚି ଭ୍ୟାଲି’ ସମୃଦ୍ଧ ଐତିହ୍ୟର ଏହି ବିଡ଼ମ୍ବିତ ଚିତ୍ରକୁ ସାମ୍ନାକୁ ଆଣିଛି।
ପୁସ୍ତକର ଲେଖକ ତଥା ଇନ୍‌ଟାକ୍‌ର ପ୍ରକଳ୍ପ ସଂଯୋଜକ ଅନିଲ୍‌ ଧିର୍‌ ପ୍ରାଚୀ ଉପତ୍ୟକାର ଏହି ଅଭାବନୀୟ ଘଟଣାକୁ ସାମ୍ନାକୁ ଆଣିଛନ୍ତି। ଶ୍ରୀ ଧିର୍‌ କହିଛନ୍ତି, ଆମେ ଭୁବନେଶ୍ବରକୁ ମନ୍ଦିର ମାଳିନୀ ସହର ଭାବେ ଅଭିହିତ କରୁଛେ। ମାତ୍ର ବାସ୍ତବ ପ୍ରାଚୀ ଉପତ୍ୟକା ଭୌଗୋଳିକ, ଐତିହାସିକ, ପ୍ରତ୍ନତାତ୍ତ୍ବିକ, ଧାର୍ମିକ ଓ ସ୍ମାରକୀରାଜିର ସମୃଦ୍ଧ ଭଣ୍ଡାର। ସଂପ୍ରତି ଏଠାରେ ରହିଥିବା ପାଖାପାଖି ୭୦ଟି ମଠ ୪ଶହରୁ ୫ଶହ ବର୍ଷ ତଳର। ଏଥିସହ ଏଠାରେ ୩୦ ପ୍ରାଚୀନ ଆଶ୍ରମ ଓ ୪୦ ଘାଟକୁ ମଧ୍ୟ ଡକ୍ୟୁମେଣ୍ଟେସନ୍‌ କରାଯାଇଛି। ୫୨ କିଲୋମିଟର ମଧ୍ୟରେ ଥିବା ଏହି ପ୍ରାଚୀ ସଭ୍ୟତା ଓ ସଂସ୍କୃତି ସବୁଠୁ ସମୃଦ୍ଧ। ଏତେ ପ୍ରାଚୀନ ସଭ୍ୟତା ଓଡ଼ିଶାରେ ଆଉ କେଉଁଠି ନାହିଁ। ସମ୍ଭବତଃ ଭାରତବର୍ଷରେ ଏପରି ସଭ୍ୟତା ଆଉ କୋଉଠି ନାହିଁ ବୋଲି ମୁଁ କହିବି। ଆମେ ସ୍ବର୍ଣ୍ଣ ତ୍ରିଭୂଜ ପର୍ୟ୍ୟଟନ ସର୍କିଟ୍‌ କଥା କହୁଛୁ। ମାତ୍ର ଏହାକୁ ଯଦି ସରକାର ପୁନରୁଦ୍ଧାର କରିପାରିବେ, ତେବେ ଏହା ଏକ ପର୍ୟ୍ୟଟନ ସର୍କିଟ୍‌ କିମ୍ବା ତୀର୍ଥ ସର୍କିଟ୍‌ ହୋଇପାରିବ। କିନ୍ତୁ ଏହାକୁ ପୁନରୁଦ୍ଧାର କରିବା ତ ଦୂରର କଥା, ଏଠାରୁ ମୂର୍ତି ଚୋରି ହୋଇଯାଉଥିଲେ ବି ଏଭଳି ଆପରାଧିକ କାର୍ୟ୍ୟ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯାଉନାହିଁ। ଭାରତୀୟ ସର୍ବେକ୍ଷଣ ସଂସ୍ଥା କିଛି କରୁନାହିଁ କି ରାଜ୍ୟ ସର୍ବେକ୍ଷଣ ସଂସ୍ଥା ଏ ଦିଗରେ କୌଣସି ପଦକ୍ଷେପ ନେଉନାହିଁ।