କଟକ-: ଶ୍ରୀମନ୍ଦିର ସମ୍ପତ୍ତି ହସ୍ତାନ୍ତର ପ୍ରକ୍ରିୟାକୁ ନେଇ ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ବିଶେଷକରି ମହାପ୍ରଭୁଙ୍କ ଯେଉଁ ସମ୍ପତ୍ତି ରହିଛି ତାହା ମନ୍ଦିର ପ୍ରଶାସନ ହାତରୁ ଖସି ଯାଉଛି । ଥରେ ଜମି ଚାଲିଗଲେ ତାହା ଫେରିବା ପାଇଁ ବହୁ କଷ୍ଟକର ହେଉଛି । ଯାହାକୁ ନେଇ ହାଇକୋର୍ଟ ତୀବ୍ର ଅସନ୍ତୋଷ ଜାହିର କରିବା ସହ ମହାପ୍ରଭୁଙ୍କ ସମ୍ପତ୍ତି ସୁରକ୍ଷିତ ରଖିବା ପାଇଁ ଉଭୟ ମନ୍ଦିର ପ୍ରଶାସନ ଏବଂ ଆଇନ ବିଭାଗ ଏକଠି କାମ କରିବାକୁ ପରାମର୍ଶ ଦେଇଛନ୍ତି । ଏନେଇ ନିର୍ଦ୍ଦେଶନାମା ମଧ୍ୟ ଜାରି କରିଛନ୍ତି । ମହାପ୍ରଭୁଙ୍କ ସମ୍ପତ୍ତିର ଭୂକ୍ଷରଣ କେବଳ ଆଇନଗତ ବ୍ୟତିକ୍ରମ ନୁହେଁ, ଏହା ଆଧ୍ୟାତ୍ମିକ ଅପମାନ ଓ ସାଂସ୍କୃତିକ କ୍ଷତି ବୋଲି କୋର୍ଟ କହିଛନ୍ତି । ଖୋର୍ଦ୍ଧା ଜିଲ୍ଲା ଜଟଣୀ ତହସିଲ କନ୍ତିଆ ମୌଜାର ବହୁମୂଲ୍ୟ ୧୫ ଏକର ଜମିକୁ ନେଇ ନିର୍ଦ୍ଦିଷ୍ଟ ଏକ ସଂସ୍ଥା ପକ୍ଷରୁ ଦାଏର ଏହି ମାମଲାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରିଭ୍ୟୁ ପିଟିସନ ଦାଖଲ ହୋଇଥିଲା l
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ବଳିଷ୍ଠ ଯୁକ୍ତି ବାଢ଼ିଥିବା ବେଳେ, ନିଜେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ଅଦାଲତରେ ହାଜର ହୋଇ ମହାପ୍ରଭୁଙ୍କ ଭୂ-ସମ୍ପତ୍ତିର ସ୍ୱାର୍ଥରକ୍ଷା ପାଇଁ ପକ୍ଷ ରଖିଥିଲେ l ଆଡଭୋକୋଟ୍ ଆନନ୍ଦ ଚନ୍ଦ୍ର ସ୍ବାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ମାମଲାର ପରିଚାଳନା କରୁଥିଲେ। କୌଣସି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ବା ଅନୁଷ୍ଠାନର ଲୋଲୁପ ଦୃଷ୍ଟିକୁ ବରଦାସ୍ତ କରାଯିବ ନାହିଁ। ଶ୍ରୀମନ୍ଦିର ଭୂସମ୍ପତ୍ତି ଗୁଡ଼ିକର କଂପ୍ୟୁଟରୀକରଣ ସହ ସଂପୂର୍ଣ୍ଣ ସ୍ବଚ୍ଛତାର ସହ ରାଜ୍ୟ ସରକାରଙ୍କ ସମାନ ନୀତି ଓ ଶ୍ରୀଜଗନ୍ନାଥ ମନ୍ଦିର ଆଇନ୍ ୧୯୫୫ ଅନୁଯାୟୀ ସମସ୍ତ ଜମିର ସୁରକ୍ଷା କରାଯିବ। ଏହି ମାମଲାରେ ମାନ୍ୟବର କୋର୍ଟ ଦେଇଥିବା ନିର୍ଦ୍ଦେଶ ଆଗାମୀ ଦିନରେ ଶ୍ରୀମନ୍ଦିରର ଭୂସମ୍ପତ୍ତି ପରିଚାଳନା କ୍ଷେତ୍ରରେ ଏକ ମାର୍ଗଦର୍ଶକ ସାଜିବ ଏବଂ ଏହାକୁ କଡାକଡି ଭାବେ ଅନୁପାଳନ କରିବାକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ବଦ୍ଧପରିକର ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି l