(ରିପୋଟର୍ସ ଟୁଡେ,ନୁଆଦିଲ୍ଲୀ):କାଶ୍ମୀର ପ୍ରସଙ୍ଗକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ସମାଲୋଚିତ ହେବା ପରେ ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପାକ୍ ଅଧିକୃତ କାଶ୍ମୀର(ପିଓକେ) ର ରାଜଧାନୀ ମୁଜାଫରବାଦରେ ଏକ ର୍ୟାଲିକୁ ସମ୍ବୋଧନ କରିବାକୁ ଯାଉଛନ୍ତି । କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବାର ପରେ ଏହା ଇମ୍ରାନଙ୍କର ତୃତୀୟ ଗସ୍ତ ହେବ । କାଶ୍ମୀର ଜନତାଙ୍କ ପାଇଁ ପାକିସ୍ତାନ ସର୍ବଦା ରହି ଆସିଛି ବୋଲି ଦର୍ଶାଇବାକୁ ଆଜି ଇମ୍ରାନ ପିଓକେରେ ଏକ ର୍ୟାଲି କରିବେ ।
ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପିଓକେର ଜନତାଙ୍କ ସମର୍ଥନ ଭାରତ ପ୍ରତି ଦେଖିବାକୁ ମିଳୁଛି, ଯାହାକି ଇମ୍ରାନଙ୍କ ଚିନ୍ତାକୁ ଏବେ ବଢାଇ ଦେଇଛି । ଅନ୍ୟପଟେ ଦିନକ ତଳେ ଜାତିସଂଘର ମାନବାଧିକାର କମିଶନ ବୈଠକରେ ପାକ୍ କଶ୍ମୀର ପ୍ରସଙ୍ଗ ଉଠାଇଥିଲା । କିନ୍ତୁ ଜାତିସଂଘ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ସବୁ ଅଭିଯୋଗକୁ ଖାରଜ କରିଦେଇଥିଲେ । ତେବେ ଆଜିର ଗସ୍ତରେ ଇମ୍ରାନ, ପିଓକେ ଜନତାଙ୍କ କେତେ ମାତ୍ରାରେ ବିଶ୍ୱାସଭାଜନ ହୋଇପାରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।