ହିନ୍ଦୋଳ / ଗୌତମ ମୁଦୁଲି: ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଯେମିତି ଆକାଶରୁ ନିଆଁ ବର୍ଷୁଛି ସେହିଭଳି ଲାଗୁଛି। ଖରା ଝାଞ୍ଜିରେ ମୁଁହ ପୋଡ଼ିହେଲା ଭଳି ଲାଗୁଛି। ତାତି ଠାରୁ ବଳିଗଲା ଗୁଳୁଗୁଳି, ଘରେ ବି ମଧ୍ଯ ବସି ହେଉନି ତ୍ରାହି ତ୍ରାହି ଡାକଦେଲେଣି ଛୁଆଠୁ ବୁଢ଼ା ପର୍ଯ୍ୟନ୍ତ । ଗତ ତିନିଦିନ ହେଲା ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ହିନ୍ଦୋଳ ଅଞ୍ଚଳରେ ତାପମାତ୍ରା ୪୬ଡିଗ୍ରୀରୁ କମୁ ନଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ସକାଳ ୮ଟାରୁ ଗରମ ଅନୁଭବ ଆରମ୍ଭ ହୋଇ ମଧ୍ୟାହ୍ନ ଓ ଅପରାହ୍ନ ବେଳକୁ ଅସମ୍ଭାଳ ହୋଇପଡ଼ୁଛି। ପ୍ରବଳ ତାତି ଯୋଗୁଁ ଅଂଶୁଘାତର ଭୟ ଘାରୁଛି। ଫଳରେ ରାସ୍ତାଘାଟ ଶୂନଶାନ ହୋଇପଡ଼ୁଛି। କୌଣସି ଜରୁରୀ କାମରେ ଯେ କେହି ଘରୁ ବାହାରିଲେ, ବାଧ୍ୟହୋଇ ପାଣି ବୋତଲ ସହ ମୁଣ୍ଡରେ ଗାମୁଛା ବାନ୍ଧି କିମ୍ବା ଛତା ଧରିବାକୁ ପଡୁଛି। ଗରମରୁ ତ୍ରାହି ପାଇବା ପାଇଁ ଲୋକେ ଟିକେ ବର୍ଷାକୁ ଅପେକ୍ଷା କରି ବସିଛନ୍ତି। ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବା ସାଙ୍ଗକୁ ଶରୀର ଝାଳେଇ ଯାଉଛି। ଅନ୍ୟପକ୍ଷରେ ବାହାର ଗରମରୁ ରକ୍ଷା ପାଇବା ପାଇଁ ଘରେ ରହିଲେ ମଧ୍ୟ ଘନଘନ ବିଦ୍ୟୁତକାଟ ଯନ୍ତ୍ରଣାକୁ ଦୁଇଗୁଣା କରିପକାଉଛି। ସେପଟେ ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି ଯେ, ଆଗାମୀ ଚାରିଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବନି, ପାରଦ ଆହୁରି ବଢିବ ତେବେ ତାତିରୁ ତ୍ରାହି ମିଳୁ ନଥୁବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।