ଝାଡଖଣ୍ଡରେ ଜିଲା ଜଜ୍‍ ଙ୍କୁ ହତ୍ୟା

0

ଋାଞ୍ଚି: ଧାନବାଦର ଅତିରିକ୍ତ ଜିଲା ଜଜ୍‍ ଙ୍କୁ ଅଟୋ ସାହାଯ୍ୟରେ ଧକ୍କା କରି ହତ୍ୟା କରାଯିବା ଘଟଣାରେ ଜଣେ ଅଟୋ ଡ୍ରାଇଭର ଏବଂ ତାଙ୍କ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି। ଏହି ଘଟଣା ଘଟିବାର ଦିନକ ପରେ ପୁଲିସ ଦୁଇଜଣଙ୍କୁ ଗିରଫ କରିବା ସହିତ ଏକ ହତ୍ୟା ମାମଲା ରୁଜ୍ଜୁକରି ତଦନ୍ତ ଆରମ୍ଭ କରିଛି। ଜଣାଯାଇଛି ଯେ ଅତିରିକ୍ତ ଜିଲା ଜଜ୍ ଉତ୍ତମ ଆନନ୍ଦ ଧାନବାଦରେ ଛଅମାସ ତଳେ ନିଯୁକ୍ତି ପାଇଥିଲେ। ବୁଧବାର ଜଷ୍ଟିସ ଉତ୍ତମ ଆନନ୍ଦ ସକାଳୁ କୋଇଲା ସହର ଧାନବାଦରେ ପ୍ରାତଃ ଭ୍ରମଣ କରୁଥିଲେ। ଏହି ସମୟରେ ପଛ ଆଡୁ ଏକ ଅଟୋ ରିକ୍ସା ଆସି ତାଙ୍କୁ ଧକ୍କା ଦେଇଥିଲା। ଏହାପରେ ତାଙ୍କୁ ତୁରନ୍ତ ହାସପାତାଳ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା । ପ୍ରାଥମିକ ଅବସ୍ଥାରେ ଏହା ଏକ ଦୁର୍ଘଟଣା ମନେ କରାଯାଉଥିବାବେଳେ ସିସିଟିଭି ଫୁଟେଜରୁ ଏହା ଏକ ହତ୍ୟା ଘଟଣା ବୋଲି ଅନୁମାନ କରାଯାଇ ତଦନୁଯାୟୀ ତଦନ୍ତ ଆରମ୍ଭ କରାଯାଇଥିଲା।
ଝାଡଖଣ୍ଡ ହାଇକୋର୍ଟ ଏହି ଘଟଣାରେ ନିଜ ଆଡୁ ଏକ ମାମଲା ରୁଜ୍ଜୁ କରିଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ନିଜଆଡୁ ଏହି ମାମଲା ରୁଜ୍ଜୁ କରି ପୁଲିସ ଏବଂ ସଂପୃକ୍ତ ଜିଲାର ଅଧିକାରୀଙ୍କୁ ଉଚ୍ଚ ନ୍ୟାୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ ସୁପ୍ରିମକୋର୍ଟ ବାର ଆସୋସିଏସନ ସଭାପତି ବିକାଶ ସିଂ ଏହାକୁ ବିଚାର ବିଭାଗର ସ୍ୱାଧୀନତା ଉପରେ ଜଘନ୍ୟ ଆକ୍ରମଣ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଜଣେ କୁଖ୍ୟାତ ଅପରାଧୀର ଜାମିନ ଖାରଜ କରିବା ପରେ ଦେଶରେ ଜଣେ ବିଚାରପତିଙ୍କୁ ଯଦି ଏଭଳି ହତ୍ୟା କରାଯାଏ ତେବେ ତାହା ବିଚାର ବିଭାଗୀୟ ବ୍ୟବସ୍ଥା ପ୍ରତି ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିବ।