ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ବଡ଼ପୁଅ କାର୍ତ୍ତିକେୟ ସିଂହ ଚୌହାନଙ୍କ ନାମାନୁସାରେ ନେହେରୁ ପାର୍କର ନାମ ବଦଳାଯାଇଥିବା ବେଳେ ଆଉ ଗୋଟାଏ ପାର୍କର ନାମକରଣ ତାଙ୍କ ସାନପୁଅ କୁନାଳଙ୍କ ନାମାନୁସାରେ କରାଯାଇଛି ବୋଲି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ଅଜୟ ସିଂହ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର ବୁଦନୀ ହେଉଛି ମୁଖ୍ୟମନ୍ତ୍ରୀ ଚୌହାନଙ୍କ ବିଧାନସଭା ନିର୍ବାଚନ ମଣ୍ଡଳୀ। ବୁଦନୀସ୍ଥିତ ନେହେରୁ ପାର୍କର ନାଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ପୁଅଙ୍କ ନାମାନୁସାରେ ବଦଳାଯାଇଥିବା ବେଳେ ଆଉ ଏକ ପାର୍କର ନାମକରଣ ତାଙ୍କ ସାନପୁଅଙ୍କ ନାମାନୁସାରେ ନାମିତ କରାଯାଇଥିବା କଂଗ୍ରେସ ଅଭିଯୋଗ କରିଛି।
କଂଗ୍ରେସର ଦାବି ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ଶାସକ ବିଜେପି କହିଛି ଯେ, ସ୍ଥାନୀୟ ବାସିନ୍ଦାମାନେ ଯଦି ଶ୍ରଦ୍ଧାରେ ପାର୍କର ପୁନଃ ନାମକରଣ କଲେ ସେଥିରେ କଂଗ୍ରେସ କୌଣସି ଆପତ୍ତି କରିବା ଅନୁଚିତ। ଅଜୟ ସିଂହ ବିଜେପି ଉପରେ ଦୋଷାରୋପ କରି କହିଛନ୍ତି ଯେ, ସ୍ବାଧୀନତା ସଂଗ୍ରାମରେ ଗୁରୁତ୍ବପୂର୍ଣ୍ଣ ଅବଦାନ ଥିବା ମହାନ୍ ବ୍ୟକ୍ତିତ୍ବଙ୍କ ନାଁକୁ ବିଜେପି ବିଲୋପ କରିଦେଉଛି। ସର୍ବସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଟ ପାର୍କ, କର୍ଣ୍ଣର୍, ରାସ୍ତା ଏବଂ ଅଟ୍ଟାଳିକା ସବୁକୁ ସମାଜ ଓ ଦେଶପ୍ରତି ଅବଦାନ ଦେଇଥିବା ବ୍ୟକ୍ତିତ୍ବଙ୍କ ନାମାନୁସାରେ ନାମିତ କରିବା ପ୍ରଥା ଚଳିଆସୁଛି ବୋଲି ସେ କହିଛନ୍ତି। ଶ୍ରୀ ସିଂହ ପଚାରିଛନ୍ତି, କାର୍ତ୍ତିକେୟ ଓ କୁନାଳଙ୍କର କି ଅବଦାନ ରହିଛି ତାହା ମୁଖ୍ୟମନ୍ତ୍ରୀ ଚୌହାନ ସ୍ପଷ୍ଟ କରିବା ଉଚିତ। ଦେଶର ସ୍ବାଧୀନତା ଓ ନବଭାରତ ନିର୍ମାଣରେ ବ୍ୟାପକ ଅବଦାନ ଥିବା ଜବାହରଲାଲ୍ ନେହେରୁଙ୍କ ସହିତ କାର୍ତ୍ତିକେୟ କେଉଁ ଗୁଣରେ ତୁଳନୀୟ, ତାହା ସେ ପ୍ରଶ୍ନ କରିଛନ୍ତି ।
ଶ୍ରୀ ସିଂହଙ୍କ ଅଭିଯୋଗ ବିଷୟରେ ପଚାରିବାରୁ ମଧ୍ୟପ୍ରଦେଶ ବିଜେପି ମୁଖପାତ୍ର ପଙ୍କଜ ଚତୁର୍ବେଦୀ କହିଛନ୍ତି, ସମଗ୍ର ଦେଶର ଅନେକ ସର୍ବସାଧାରଣ ସ୍ଥାନ ଗୋଟିଏ ପରିବାରର ସଦସ୍ୟମାନଙ୍କ ନାମାନୁସାରେ ନାମିତ କରାଯାଇଛି। ଅଜୟ ସିଂହ କଂଗ୍ରେସ ଦୃଷ୍ଟିକୋଣରୁ ସବୁକିଛି ଦେଖୁଛନ୍ତି, ତେଣୁ ସେ ଚାରିଆଡ଼େ ନେହେରୁ, ଫିରୋଜ ଗାନ୍ଧୀ ଏବଂ ଇନ୍ଦିରା ଗାନ୍ଧୀଙ୍କୁ ଦେଖୁଛନ୍ତି। କଂଗ୍ରେସ ଭାବୁଛି ସବୁ କିଛି ସେମାନଙ୍କ ନାମାନୁସାରେ ନାମିତ ହେବା ଉଚିତ।