(ହିିଞ୍ଜିଳି/ ରଜନୀକାନ୍ତ ପାତ୍ର) -ମହାମାରୀ କରୋନା ବିରୋଧରେ ଲଢ଼େଇ କରିବା ପାଇଁ ଆରମ୍ଭ ହୋଇଯାଇଛି ଟୀକାକରଣ । ରାଜ୍ୟରେ ମଧ୍ୟ ଟୀକାକରଣ କାର୍ୟ୍ୟକ୍ରମ କୁ ମୂଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ଜରିଆ ରେ ଶୁଭାରମ୍ଭ କରିଛନ୍ତି। ବ୍ରହ୍ମପୁର ଠାରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ଟୀକାକରଣ କାର୍ୟ୍ୟକ୍ରମ ର ଅନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଛି। ଆଜି ସ୍ଥାନୀୟ ସିଟି ହସପିଟାଲ ପରିସରରେ ଏହି ଟୀକାକରଣ କାର୍ୟ୍ୟକ୍ରମ ହୋଇଯାଇଛି।ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ସୁନୀଲ କୋଟା ପ୍ରଥମ କୋଭିଡ ଟୀକା ଗ୍ରହଣ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ସହ ଟୀକାକରଣ ବିଷୟ ରେ କଥାବାର୍ତ୍ତା କରିଥିଲେ। ବ୍ରହ୍ମପୁର ସହର ସମେତ ଜିଲ୍ଲାର ୧୧ଟି ଡାକ୍ତରଖାନାରେ ପ୍ରଥମ ପର୍ୟ୍ୟାୟରେ ଜିଲ୍ଲାର ୧୧ ଶହ ଡାକ୍ତର, ନର୍ସ, ଏଏନ୍ଏମ, ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ନେବେ ବୋଲି ପୂର୍ବରୁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡ଼ିଏମଓ) ଉମା ମିଶ୍ର ସୂଚନା ଦେଇଛନ୍ତି। ବ୍ରହ୍ମପୁରରେ ଏମ୍କେସିଜି ମେଡିକାଲ, ସିଟି ହସ୍ପିଟାଲ, ଖ୍ରୀଷ୍ଟିଆନ ହସ୍ପିଟାଲ, ଆସ୍କାରୋଡ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକା ପ୍ରଦାନ କରାଯିବ। ଏହାସହିତ ଜିଲ୍ଲାର ଛତ୍ରପୁର, ଭଞ୍ଜନଗର, ଆସିକା ଉପଖଣ୍ଡ ଚିକିତ୍ସାଳୟ ଏବଂ ଚିକିଟି, ଧରାକୋଟ, ସୁମଣ୍ଡଳ ଓ ବେଲଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ସକାଳ ୯ଟାରୁ ଅପରାହ୍ନ ୫ଟା ଯାଏ ଟିକାକରଣ ଜାରି ରହିବ। ପ୍ରଥମ ପର୍ୟ୍ୟାୟ ଟିକାଦାନ ସପ୍ତାହକ ମଧ୍ୟରେ ଶେଷ କରିବା ନେଇ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ନିର୍ଦ୍ଦେଶ ଜାରି କରିଛନ୍ତି। ଗଞ୍ଜାମ ଜିଲା ପାଇଁ ୧୬ ହଜାର ୮୦୦ କୋଭିସିଲ୍ଡ ଆସିଛି। ସେରମ୍ ଇନ୍ଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ଏହି ଟିକାର ବୈଧତା ଆସନ୍ତା ଏପ୍ରିଲ ୨୯ ତାରିଖ ପର୍ୟ୍ୟନ୍ତ ରହିଛି ବୋଲି ସିଡିଏମ୍ଓ କହିଛନ୍ତି। ଆଜିର ଏହି ଟୀକାକରଣ କାର୍ୟ୍ୟକ୍ରମ ରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ବ୍ରହ୍ମପୁର ମହାନଗର ନିଗମ ର କମିଶନର ସିଦ୍ଧେଶ୍ଵର ବଳିରାମ ବୋନ୍ଦାର , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଉମା ମିଶ୍ର ପ୍ରମୂଖ ଉପସ୍ଥିତ ଥିଲେ।