ଭାରତ, ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ଅନ୍ତିମ ଟି -୨୦ରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି । ସୁପର ଓଭରରେ ଯାଇ ଭାରତ ଏହି ମ୍ୟାଚ ଜିତିଛି। ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜରେ ଭାରତ ଶ୍ରୀଲଙ୍କାକୁ ଧୂଳି ଚଟେଇଛି । ସୁପର୍ ଓଭର ବିଜୟ ସହ ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୩-୦ରେ ଜିତି ନେଇଛି। ଉଭୟ ଦଳ ୧୩୭ ରନରେ ଅଟକିଯିବା ପରେ ମ୍ୟାଚ୍ ଟାଇ ରହିଥିଲା।
ତୃତୀୟ ମ୍ୟାଚ୍ରେ ୯ ୱିକେଟରେ ଭାରତ ୧୩୭ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ୨୦ ଓଭରରେ ୮ ୱିକେଟ୍ ହରାଇବା ପରେ ୧୩୭ ରନ୍ ଯୋଡିଥିଲା। ଏଭଳି ପରିସ୍ଥିତିରେ ମ୍ୟାଚ୍ ସୁପର ଓଭରରେ ପହଞ୍ଚିଥିଲା। ୱାଶିଂଟନ୍ ସୁନ୍ଦର ସୁପର ଓଭରରେ ଏକ ୱାଇଡ୍ ସମେତ ଦୁଇ ରନ୍ ଦେଇଥିଲେ । ପରେ ସୂର୍ଯ୍ୟକୁମାର ଯାଦବ ଚଉକା ମାରି ଦଳକୁ ବିଜୟୀ କରିଥିଲେ ।
ପୂର୍ବରୁ ଟସ୍ ଜିତିଥିବା ଶ୍ରୀଲଙ୍କା କ୍ଷେତ୍ରରକ୍ଷଣ କରିବା ସହ ପାୱାର ପ୍ଲେ ଭିତରେ ୪ ୱିକେଟ୍ ବାହାର କରି ନେଇଥିଲା। ନବମ ଓଭର ବେଳକୁ ଭାରତ ୪୮/୫ରେ ସଂଘର୍ଷ କରିଥିଲା। ସଂଜୁ ସାମ୍ସନ୍ (୦), ରିଙ୍କୁ ସିଂହ (୨), ସୂର୍ଯ୍ୟକୁମାର (୮) ବିଫଳ ହେବା ଭାରତକୁ ବଡ଼ ସ୍କୋର ସୁଯୋଗ ଦେଇ ନଥିଲା। ଶୁବମନ ଗିଲ, ରିୟାନ ପରାଗ ଓ ୱାଶିଂଟନ ସୁନ୍ଦର ଉପଯୋଗୀ ପାଳି ଖେଳିବାରୁ ଭାରତ ସମ୍ମାନଜନକ ସ୍କୋର କରିଥିଲା।
ଦୁଇ କୁଶଲଙ୍କ ଭଲ ବ୍ୟାଟିଂ କାରଣରୁ ଶ୍ରୀଲଙ୍କା ନିଶ୍ଚିତ ବିଜୟ ଆଡ଼କୁ ଯାଉଥିବା ବେଳେ ୱାସିଂଟନ୍ ସୁନ୍ଦର, ରିଙ୍କୁ ସିଂହ, ରବି ବିଷ୍ଣୋଇ, ସୂର୍ଯ୍ୟକୁମାର ୟାଦବ ଦୁଇଟି ଲେଖାଏଁ ୱିକେଟ୍ ନେଇ ମ୍ୟାଚ୍କୁ ଟାଇ କରି ଦେଇଥିଲେ। ଏପରିକି ଶେଷ ଓଭରରେ ୬ ବଲ୍ରୁ ୬ ରନ୍ ଆବଶ୍ୟକ ଥିବା ବେଳେ ସୂର୍ଯ୍ୟକୁମାର ୫ ରନ୍ ଦେଇ ୨ ୱିକେଟ୍ ଅକ୍ତିଆର କରିବା ରୋମାଞ୍ଚପୂର୍ଣ୍ଣ ମୁହୂର୍ତ୍ତ ଆଣି ଦେଇଥିଲା।