ନୂଆଦିଲ୍ଲୀ-: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ବୈଦେଶିକ ମନ୍ତ୍ରଣାଳୟ ଏକ ବଡ଼ ଘୋଷଣା କରିଛି । ଅସ୍ତ୍ରବିରତି ପାଇଁ ରାଜି ହେଲେ ଭାରତ ଓ ପାକିସ୍ତାନ । ‘ଅପରେସନ ସିନ୍ଦୂର’ ର ଚତୁର୍ଥ ଦିନରେ, ବୈଦେଶିକ ମନ୍ତ୍ରଣାଳୟ ସଚିବ ବିକ୍ରମ ମିଶ୍ରୀ କହିଛନ୍ତି ଯେ ଭାରତ-ପାକିସ୍ତାନ ଅସ୍ତ୍ରବିରତି ପାଇଁ ସହମତି ହୋଇଛନ୍ତି । ବୈଦେଶିକ ସଚିବ କହିଛନ୍ତି ଯେ ସନ୍ଧ୍ୟା ୫ଟାରୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଛି । ଚଳିତମାସ ୧୨ ତାରିଖରେ ଉଭୟ ଭାରତ ଓ ପାକିସ୍ତାନର ଡିଜିଏମଓଙ୍କ ମଧ୍ୟରେ ବାକି ଆଲୋଚନା ହେବ । ଯୁଦ୍ଧ ବିରାମ ପାଇଁ ପ୍ରଥମେ ଦିନ ୩ଟା ୩୦ ମିନିଟରେ ପାକିସ୍ତାନ ଡିଜିଏମଓ ଅସ୍ତ୍ରବିରତି ପାଇଁ ଭାରତକୁ ଫୋନ କରିଥିଲେ । ଏହି କ୍ରମରେ ଆଜି ସନ୍ଧ୍ୟା ୫ଟାରୁ ଜଳ, ସ୍ଥଳ ଓ ଆକାଶ ସବୁପଟୁ ଗୁଳିଗୋଳା କାର୍ଯ୍ୟାନୁଷ୍ଠାନ ବନ୍ଦ ରହିବ ।
ବିକ୍ରମ ମିଶ୍ରୀ କହିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଗୁଳିବିନିମୟ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାର ନିଷ୍ପତ୍ତି ସିଧାସଳଖ ଦୁଇ ଦେଶ ମଧ୍ୟରେ ନିଆଯାଇଥିଲା । ଅନ୍ୟ କୌଣସି ସ୍ଥାନରେ ଅନ୍ୟ କୌଣସି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ କୌଣସି ନିଷ୍ପତ୍ତି ହୋଇନାହିଁ । ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଟ୍ୱିଟ୍ କରି କହିଛନ୍ତି, “ଭାରତ ଏବଂ ପାକିସ୍ତାନ ଆଜି ଗୁଳିମାଡ଼ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ରାଜି ହୋଇଛନ୍ତି । ଭାରତ ନିରନ୍ତର ଭାବରେ ସମସ୍ତ ପ୍ରକାର ଏବଂ ପ୍ରକାଶନରେ ଆତଙ୍କବାଦ ବିରୁଦ୍ଧରେ ଏକ ଦୃଢ଼ ଏବଂ ଅଟଳ ମନୋଭାବ ବଜାୟ ରଖିଛି ଯାହା ଆଗକୁ ମଧ୍ୟ ଜାରି ରଖିବ।”