ବ୍ୟୁରୋ : ଦିନକୁ ଦିନ ଚୀନରେ ବଢିଚାଲିଛି ଏଚ୍ଏମ୍ପିଭି ଭାଇରସ୍ ଆତଙ୍କ । ବଢିବାରେ ଲାଗିଛି ଶ୍ବାସକ୍ରିୟା ଜନିତ ଅସୁସ୍ଥତା । ଭାରତରେ ମଧ୍ୟ ଏଚ୍ଏମ୍ପିଭି ଭାଇରସ୍ ରେ ଜଣେ ପୀଡିତ ଚିହ୍ନଟ ହୋଇଥିବା ଜଣାପଡିଛି ।
କିନ୍ତୁ ଏହି ଭାଇରସ୍ କୁ ନେଇ ଭାରତରେ ଚିନ୍ତା କରିବାର କିଛି କାରଣ ନାହିଁ ବୋଲି କହିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଶନିବାର ଏକ ବିବୃତି ଜାରି କରି ମନ୍ତ୍ରାଳୟ କହିଛି ଯେ ଚୀନରେ ଏହି ସ୍ଥିତି କିଛି ଅସାଧାରଣ ନୁହେଁ, ଭାରତ ଏହା ସଫଳ ମୁକାବିଲା ପାଇଁ ପ୍ରସ୍ତୁତ ରହିଛି । ଏଚଏମପିଭିର ସ୍ଥିତି ଆକଳନ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏକ ଜଏଣ୍ଟ ମନିଟରିଂ ଗ୍ରୁପ୍ ବୈଠକ କରିବାର ଗୋଟିଏ ଦିନ ପରେ ଏହି ବିବୃତ୍ତି ଜାରି କରାଯାଇଛି ।
ଅନ୍ୟପଟେ ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ସଂକ୍ରମଣ ବୃଦ୍ଧି ହୋଇନାହିଁ କି ରୋଗୀଙ୍କ ସଂଖ୍ୟା ମଧ୍ୟ ବିଶେଷ ବୃଦ୍ଧି ହୋଇ ହୋଇନାହିଁ । କୌଣସି ବିପନ୍ନ ଅବଗତ ହେବାପାଇଁ ଅଧିକାରୀ ମାନେ ଲଗାତର ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅପଡେଟ୍ ଆକଳନ କରୁଛନ୍ତି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ସଂକ୍ରମଣର ମୁକାବିଲା ପାଇଁ ଗୁରୁତ୍ବପୂର୍ଣ୍ଣ ସୂଚନା ସମ୍ପର୍କରେ ଅବଗତ କରାଇବାକୁ ‘ହୁ’ କୁ ଅନୁରୋଧ କରାଯାଇଛି । ଏଚଏମପିଭି ଭଳି ଭାଇରସ୍ ପୂର୍ବରୁ ମଧ୍ୟ ଦେଶରେ ବ୍ୟାପିସାରିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଯେ, ଏହାର ମୁକାବିଲା ପାଇଁ ଦେଶ ପ୍ରସ୍ତୁତ ରହିଛି ।