ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଏୟାରବେସ୍ ଉପରେ ଡ୍ରୋନ୍ ଆକ୍ରମଣକୁ ଗୁରୁତ୍ୱର ସହ ନେଇଛି ଭାରତ। ଏହାକୁ ଭାରତ ଜାତିସଂଘରେ ଉଠାଇଛି । ଡ୍ରୋନ ସାହାଯ୍ୟରେ ଆତଙ୍କବାଦୀ ଆକ୍ରମଣର ଗମ୍ଭୀରତା ନେଇ ଜାତିସଂଘରେ ଭାରତ ଚିନ୍ତାବ୍ୟକ୍ତ କରିବା ସହ ସୂଚନା ଓ ପ୍ରଯୁକ୍ତି ବିଜ୍ଞାନର ଅପବ୍ୟବହାର କରାଯାଉଛି ବୋଲି କୁହାଯାଇଛି । ଏହା ଉପରେ ସମସ୍ତ ସଦସ୍ୟ ଦେଶ ଧ୍ୟାନ ଦେବାକୁ ଭାରତ ଅପିଲ କରିଛି ।
ଜାତିସଂଘରେ ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସ୍ୱତନ୍ତ୍ର ସଚିବ ଭିଏସ୍କେ କୌମୁଦି କହିଛନ୍ତି, ଆତଙ୍କବାଦୀମାନେ ସୂଚନା ଓ ଯୋଗାଯୋଗ ଟେକ୍ନୋଲଜିର ଅପବ୍ୟବହାର ତଥା ଇଣ୍ଟରନେଟ ଓ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି । ଏହି ମାଧ୍ୟମରେ ଲୋକଙ୍କୁ ମୌଳବାଦୀ ଚିନ୍ତାଧାରକୁ ଗ୍ରହଣ କରିବାକୁ କୁହାଯାଉଛି ଓ କ୍ୟାଡର ନିଯୁକ୍ତି କରାଯାଉଛି। ଅତି ସହଜରେ ଓ ଅଳ୍ପଦାମରେ ଡ୍ରୋନ ମିଳିଯାଉଥିବାରୁ ଆତଙ୍କବାଦୀମାନେ ଏହାକୁ ବ୍ୟବହାର କରିବା ଆରମ୍ଭ କରିବାରେ ଲାଗିଛନ୍ତି। ସେମାନେ ତଥ୍ୟ ସଂଗ୍ରହ ଠାରୁ ଆରମ୍ଭ କରି ହମଲା କରିବାରେ ଏହାକୁ ବ୍ୟବହାର କରୁଛନ୍ତି। ଏହା ଏବେ ବିଶ୍ୱର ସମସ୍ତ ସୁରକ୍ଷା ଏଜେନ୍ସିଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଆତଙ୍କବାଦର ପ୍ରଚାର ପ୍ରସାର ପାଇଁ ନୂଆ ନୂଆ ଉପାୟ ଆପଣା ଯାଉଛି, ଯାହା ଆମ ସମସ୍ତଙ୍କ ଆଗରେ ନୂଆ ଚିନ୍ତା ସୃଷ୍ଟି କରୁଛି । ଏହାକୁ ପ୍ରତିହତ କରିବା ଦିଗରେ ଆମକୁ ନିଷ୍ପତ୍ତି ନେବା ଦରକାର ।