ମିଳିତ ଜାତିସଂଘରେ ପାକିସ୍ତାନକୁ କଡା ଜବାବ ଦେଲା ଭାରତ

0

ନୂଆଦିଲ୍ଲୀ: ମିଳିତ ଜାତିସଂଘରେ ପାକିସ୍ତାନକୁ କଡା ଜବାବ ଦେଲା ଭାରତ । ସୀମାପାରି ଆତଙ୍କବାଦ ବନ୍ଦ କର, ନିଜ ଦେଶରେ ଥିବା ଆତଙ୍କବାଦ ଭିତ୍ତିଭୂମି ହଟାଅ ଓ ବେଆଇ ଭାବେ ଦଖଲ କରିଥିବା ଭାରତୀୟ ଅଞ୍ଚଳ ଖାଲି କର ବୋଲି ଶୁକ୍ରବାର ଦିନ ଜାତିସଂଘରେ ଭାରତ ପାକିସ୍ତାନକୁ କଡ଼ା ଭାଷାରେ କହିଛି ।

ପାକିସ୍ତାନର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଅନୱର ଉଲ ହକ କକ୍କର କାଶ୍ମୀର ପ୍ରସଙ୍ଗରେ ଉଠାଇଥିଲେ ଯାହାର କଡା ଜବାବ ରଖିଛି ଭାରତ। ଜାମ୍ମୁ ଓ କାଶ୍ମୀର, ଲଦାଖ ଭାରତର ଏକ ଅବିଚ୍ଛେଦ ଅଙ୍ଗ ଏବଂ ଏହାକୁ ନେଇ ରାଜନୀତି କରିବା ଅନୁଚିତ ବୋଲି କହିଛନ୍ତି ଜାତିସଂଘରେ ଭାରତ ଫାଷ୍ଟ ସେକ୍ରେଟାରୀ ପେଟାଲ ଗେହଲଟ । ସେ କହିଛନ୍ତି- ଦକ୍ଷିଣ ଏସିଆରେ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରର ପାକିସ୍ତାନର ଏହି ସବୁ କାର୍ଯ୍ୟକଳାପ ବନ୍ଦ ହେବାର ଆବଶ୍ୟକତା ରହିଛି । ତୁରନ୍ତ ପାକିସ୍ତାନ ନିଜର ଆତଙ୍କବାଦୀ କ୍ରିୟାକଳାପ ବନ୍ଦ କରୁ । ପାକ୍ ଅଧିକୃତ ଅଞ୍ଚଳ ତୁରନ୍ତ ଖାଲି କରୁ । ଆହୁରି ମଧ୍ୟ, ୨୬/୧୧ ମୁମ୍ବାଇ ଆକ୍ରମଣର ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପାକିସ୍ତାନ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଗେହଲଟ ।