(ନୂଆଦିଲ୍ଲୀ): ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ କେନ୍ଦ୍ର ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଭାରତ ୨୧ଟି ମିଗ-୨୯ ଏବଂ ୧୨ଟି ସୁଖୋଇ-୩୦ ଯୁଦ୍ଧ ବିମାନ ରୁଷ ଠାରୁ କିଣିବ । ଏନେଇ ସୁରକ୍ଷା କ୍ୟାବିନେଟ କମିଟି ପକ୍ଷରୁ ଏସମ୍ପର୍କିତ ଏକ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଖୁବ ଶୀଘ୍ର ଏଥିପାଇଁ ରାଷ୍ଟ୍ରାୟତ ପ୍ରତିରକ୍ଷା ସାମଗ୍ରୀ ରପ୍ତାନିକାରୀ ବିଭାଗକୁ ଅନୁରୋଧ ପ୍ରସ୍ତାବ ପଠାଯିବ ବୋଲି ପ୍ରତିରକ୍ଷା ସୂତ୍ରରୁ ଜଣାପଡିଛି । ଏହି ବିମାନଗୁଡିକୁ ଅପେକ୍ଷାକୃତ ସୁଲଭ ମୂଲ୍ୟରେ କିଣାଯିବ । ଏହା ସହିତ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୮୩ଟି ତେଜସ ଯୁଦ୍ଧ ବିମାନ କିଣିବା ପ୍ରସ୍ତାବକୁ କମିଟି ମଞ୍ଜୁର କରିଛି । ଏହାଦ୍ୱାରା ଏଲଏସି ଏବଂ ଏଲଓସିରେ ଚାଇନା ଓ ପାକିସ୍ତାନର କଡା ମୁକାବିଲା କରିବାକୁ ଭାରତୀୟ ସେନା ସକ୍ଷମ ହେବ । ବର୍ତ୍ତମାନ ଭାରତ ପାଖରେ ୫୯ଟି ମିଗ-୨୯ ଯୁଦ୍ଧ ବିମାନ ରହିଛି । ପୂର୍ବରୁ ୨୭୨ଟି ସୁଖୋଇ-୩୦ ଲଢୁଆ ବିମାନ ପାଇଁ ୧୫ ବିଲିୟନ ଡଲାରର ରାଜିନାମା ହୋଇଥିଲା । ଏହାର ଉତ୍ପାଦନ ଦାୟିତ୍ୱ ‘ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ’ (ହାଲ)କୁ ମିଳିଥିଲା । ସୂଚନାଯୋଗ୍ୟ, ୨୭୨ଟି ସୁଖୋଇ ବିମାନରୁ ଭାରତୀୟ ବାୟୁସେନାରେ ଏଯାଏ ୨୬୮ଟି ସାମିଲ ହୋଇସାରିଛି ।