ସ୍ୱପ୍ନରେ ବାଧକ ସାଜିଲା ବର୍ଷା । ସିରିଜ୍ କ୍ଲିନ୍ ସ୍ୱିପ ଲକ୍ଷ୍ୟରେ ଥିବା ଟିମ୍ ଇଣ୍ଡିଆ ଆଗରେ ଛିଡା ହୋଇଥିଲା ବର୍ଷା । ସେଥିପାଇଁ ଆଉ ଶେଷରେ ୨ୟ ଟେଷ୍ଟକୁ ଡ୍ର ଘୋଷଣା କରାଯାଇଛି । ଓ୍ୱେଷ୍ଟଇଣ୍ଡିଜରେ ଚାଲିଥିବା ଟେଷ୍ଟ ସିରିଜ୍କୁ ଭାରତ ୧-୦ରେ ବିଜୟୀ ହୋଇଛି । ଓ୍ୱେଷ୍ଟଇଣ୍ଡିଜରେ ଏହା ଭାରତର ଲଗାତର ଭାବେ ସିରିଜ ଜିତିଥିବା ପଞ୍ଚମ ଟେଷ୍ଟ ।ପୋର୍ଟ ଅଫ ସ୍ପେନରେ ପ୍ରବଳ ବର୍ଷା ଯୋଗୁ ଦ୍ୱିତୀୟ ଟେଷ୍ଟର ଫାଇନାଲର ଅନ୍ତିମ ଦିନ ବାତିଲ ହୋଇଯାଇଥିଲା । ଭାରତର ପୁରା ସିରିଜ ଜିତିବା ସ୍ୱପ୍ନ ମଉଳି ଯାଇଥିଲା ।
ବର୍ଷା ଲାଗି ରହିଥିବାରୁ ଆଗୁଆ ଲଞ୍ଚ ବ୍ରେକ ଘୋଷଣା କରାଯାଇଥିଲା । ଦ୍ୱିତୀୟ ଭାଗରେ ପାଗ ବଦଳିବ ଓ ଖେଳ ସମ୍ଭବ ହେବ ବୋଲି ଅନୁମାନ କରାଯାଉଥିଲା । ମଝିରେ ବର୍ଷା ଛାଡ଼ି ଖରା ହେବାରୁ ୬୭ ଓଭର ଖେଳ ପାଇଁ ଅମ୍ପାୟର ନିଷ୍ପତ୍ତି ନେଇଥିଲେ । ଦୁଇ ଦଳର ଖେଳାଳିମାନେ ମଧ୍ୟ ଗ୍ରାଉଣ୍ଡକୁ ଓହ୍ଲାଇ ୱାର୍ମ ଅପ୍ କରିଥିଲେ । ମାତ୍ର ବଲ ପଡ଼ିବା ପାଇଁ କିଛି ମାତ୍ର ସମୟ ପୂର୍ବରୁ ପୁଣି ଥରେ ବର୍ଷା ହୋଇଥିଲା । ଶେଷରେ ବାଧ୍ୟ ହୋଇ ପଞ୍ଚମ ଦିନ ଖେଳକୁ ବାତିଲ କରାଯାଇଥିଲା । ଆଉ ୨ ମ୍ୟାଚ୍କୁ ଡ୍ର’ ଘୋଷଣା ହୋଇଥିଲା । ଘାତକ ବୋଲିଂ ପ୍ରଦର୍ଶନ ପାଇଁ ମହମ୍ମଦ ସିରାଜ୍ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।
୩୬୫ ରନ୍ ବିଜୟ ଲକ୍ଷ୍ୟର ପିଛା କରୁଥିବା ୱେଷ୍ଟ ଇଣ୍ଡିଜ୍ ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଦ୍ୱିତୀୟ ଇନିଂରେ ୨ ୱିକେଟ୍ ହରାଇ ୭୬ ରନ୍ ସଂଗ୍ରହ କରିଥିଲା । ଶେଷ ଦିନରେ ଘରୋଇ ଦଳକୁ ବିଜୟ ପାଇଁ ଆଉ ୨୮୯ ରନ୍ ଆବଶ୍ୟକ ହେଉଥିବାବେଳେ ଭାରତ ୮ୱିକେଟ୍ ଆବଶ୍ୟକ କରୁଥିଲା । ଅନ୍ତିମ ଦିବସରେ ରବି ଚନ୍ଦ୍ରନ ଅଶ୍ୱିନ ଓ ରବିନ୍ଦ୍ର ଜାଡେଜା ବିପର୍ଯ୍ୟୟ ଘଟାଇବା ଆଶା କରାଯାଉଥିଲା । ଅଶ୍ୱିନ ୨ଟି ୱିକେଟ୍ ନେଇସାରିଥିଲେ । ତେଣୁ ଭାରତର ବିଜୟ ସମ୍ଭାବନା ଅଧିକ ଥିଲା । ମାତ୍ର ବର୍ଷାରେ ଭାରତର ସବୁ ଆଶା ଧୋଇ ଯାଇଥିଲା । ପୂର୍ବରୁ ଡୋମିନିକାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଭାରତ ଇନିଂସ ଓ ୧୪୧ ରନରେ ବିଜୟ ହାସଲ କରିଥିଲା । ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଭାରତ ଆଧିପତ୍ୟ ବଜାୟ ରଖିଥିଲା । ତେବେ ଏହି ସିରିଜରେ ଡେବ୍ୟୁ କରିଥିବା ଜଶସ୍ୱୀ ଜୈସଓ୍ୱାଲ୍ ସର୍ବାଧିକ ରନ୍ କରିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନୀ ସର୍ବାଧିକ ଓ୍ୱିକେଟ୍ ନେଇଛନ୍ତି ।