ପ୍ରଥମ ଖୋଖୋ ବିଶ୍ୱକପରେ ଇତିହାସ ରଚିଲା ଭାରତୀୟ ମହିଳା ଦଳ । ନେପାଳର ମହିଳା ଖୋଖୋ ଦଳକୁ ପରାସ୍ତ କରି ବିଜୟ ହାସଲ କଲା ଭାରତର ମହିଳା ଦଳ । ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ଠାରେ ଏହି ପ୍ରଥମ ଖୋଖୋ ବିଶ୍ୱକପ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ୨୦୨୫ ଜାନୁଆରୀ ଠାରୁ ୨୦୨୭ ଡିସେମ୍ବର ପର୍ଯ୍ୟନ୍ତ ୩ ବର୍ଷ ପାଇଁ ଓଡ଼ିଶା ସରକାର ଭାରତୀୟ ଜାତୀୟ ଖୋଖୋ ଦଳକୁ ସ୍ପନସର କରୁଛନ୍ତି। ଯାହାପାଇଁ ବର୍ଷକୁ ୫ କୋଟି ଏବଂ ସମୁଦାୟ ୧୫ କୋଟି ଟଙ୍କା ପ୍ରଦାନ କରାଯିବ।
ଭାରତୀୟ ମହିଳା ଖୋଖୋ ଦଳର ଐତିହାସିକ ବିଜୟ ପରେ ମାନ୍ୟବର କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଭାରତୀୟ ମହିଳା ଖୋଖୋ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ଏବଂ ନିଜର ପ୍ରତିକ୍ରିୟାରେ ମନ୍ତ୍ରୀ କହିଛନ୍ତି , ଭାତୀୟ ମହିଳା ଖୋଖୋ ଦଳର ସମସ୍ତ କ୍ରୀଡ଼ାବିତମାନେ ବିଶ୍ୱ ମଞ୍ଚରେ ଆମ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି । ଆଜିର ଏହି ଐତିହାସିକ ବିଜୟ ଦେଶର ଲକ୍ଷଲକ୍ଷ ଯୁବ ମହିଳା କ୍ରୀଡ଼ାବିତମାନଙ୍କୁ କ୍ରୀଡ଼ାକ୍ଷେତ୍ରରେ ନିଜର ସ୍ୱର୍ଣ୍ଣିମ ଭବିଷ୍ୟତ ନିର୍ମାଣ କରିବା ପାଇଁ ପ୍ରେରଣା ପ୍ରଦାନ କରିବ ।