ଏଲଓସିରେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ଭାରତୀୟ ସେନା ଅଟକାଇବାରେ ସଫଳ

0

ଜମ୍ମୁ-କଶ୍ମୀର-: ଗତକାଲି ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଆଜି ସକାଳୁ ଜମ୍ମୁ-କଶ୍ମୀରରେ ପ୍ରବଳ ଗୁଳି ବିନିମୟ ପରେ ସେନା ଦୁଇ ଜଣ ଆତଙ୍କବାଦୀଙ୍କୁ ନିଷ୍କ୍ରିୟ କରିଛି । ଏହି ଅଭିଯାନ ଆତଙ୍କବାଦୀଙ୍କ ଅନୁପ୍ରବେଶ ପ୍ରୟାସକୁ ସଫଳତାର ସହ ପଣ୍ଡ କରିଛି ଭାରତୀୟ ସେନା । ଘଟଣାସ୍ଥଳରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଏବଂ ଅନ୍ୟାନ୍ୟ ଯୁଦ୍ଧ ସାମଗ୍ରୀ ଜବତ କରାଯାଇଛି । ସାମରିକ ଅଭିଯାନ ଜାରି ରହିଛି ।

ସୂଚନା ଅନୁସାରେ, ବୁଧବାର ଜମ୍ମୁ-କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର ଏଲଓସିରେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ଭାରତୀୟ ସେନା ଅଟକାଇବାରେ ସଫଳ ହୋଇଛି । ପ୍ରାୟ ୨ରୁ ୩ଜଣ ୟୁଆଇ ଆତଙ୍କବାଦୀ ବାରାମୁଲ୍ଲା (ଉତ୍ତର କାଶ୍ମୀରର) ଉରି ନାଲାରେ ସାଧାରଣ ଅଞ୍ଚଳ ସରୋଜଭାନ ଦେଇ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ସେହି ଅନୁପ୍ରବେଶକାରୀଙ୍କୁ ଭାରତୀୟ ସେନା ଯବାନ ଅଟକାଇଥିଲେ । ଫଳସ୍ୱରୂପ ସେମାନେ ସେନା ଉପରକୁ ଗୁଳି ଚାଳନା କରିଥିଲେ। ଭାରତୀୟ ସେନା ପକ୍ଷରୁ ଆତଙ୍କବାଦୀଙ୍କୁ ପାଲଟା ଜବାବ ଦିଆଯାଇଥିଲା । ଦୀର୍ଘ ସମୟ ଧରି ଆତଙ୍କବାଦୀ ଏବଂ ସେନା ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଭାରତୀୟ ସେନାର ଗୁଳିରେ ୨ଜଣ ଆତଙ୍କବାଦୀ ନିହତ ହୋଇଥିଲେ ।

ଏହି ଆତଙ୍କବାଦୀମାନଙ୍କଠାରୁ ଦୁଇଟି AK47 ରାଇଫଲ ଏବଂ IED ଜବତ କରାଯାଇଛି । ମଙ୍ଗଳବାର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏବେ NIA ଟିମ ଜମ୍ମୁ କଶ୍ମୀରରେ ପହଞ୍ଚିଛି। ସେନା ମଧ୍ୟ ସର୍ଚ୍ଚ ଅପରେଶନକୁ ଜୋରଦାର କରିଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ସେନା ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ସକ୍ରିୟ ହୋଇ ଉଠିଛନ୍ତି ଏବଂ ଚିହ୍ନଟ ହୋଇଥିବା ଆତଙ୍କବାଦୀଙ୍କୁ ମଧ୍ୟ ଖୋଜୁଛନ୍ତି ।