ଶ୍ରୀନଗର: ପିଚ ରୋଲର ଚୋରି କରିବା ଅଭିଯୋଗରେ ଫସିଯାଇଛନ୍ତି ଭାରତର ଜଣେ ଷ୍ଟାର ଅଲରାଉଣ୍ଡର । ଯାହାକୁ ନେଇ ଏବେ ସେ ଖୁବ ଅଡୁଆରେ । ରୋଲର ଫେରାଇବାକୁ ନୋଟିସ ମିଳିଥିବା ବେଳେ ରୋଲର ନ ଫେରାଇଲେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଭାରତୀୟ ଷ୍ଟାର ଅଲରାଉଣ୍ଡର ପରଭେଜ ରସୁଲଙ୍କ ନାମରେ ଆସିଛି ପିଚ ରୋଲର ଚୋରି ଅଭିଯୋଗ । ଏ ସମ୍ବନ୍ଧରେ କହିଛି ଜମ୍ମୁ-କଶ୍ମୀର କ୍ରିକେଟ ଆସୋସିଏସନ । ଏଥିସହ ପିଚ ରୋଲର ଫେରାଇବାକୁ ରସୁଲଙ୍କୁ ଆସୋସିଏସନ ତରଫରୁ ଚେତାବନୀ ଦିଆଯାଇଛି । ନଚେତ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମିଳିଛି ଚେତାବନୀ । ଆହୁରି ମଧ୍ୟ ଆସୋସିଏସନ କହିଛି ଯେ, ରସୁଲଙ୍କ ପାଖରେ ଭରସା କରି କ୍ରିକେଟ ବାବଦୀୟ ସମ୍ପତ୍ତି ରଖାଯାଇଥିଲା । କିନ୍ତୁ ସେ ବିଶ୍ୱାସ ଭାଙ୍ଗିଛନ୍ତି । ଏକ ସପ୍ତାହ ମଧ୍ୟରେ ରସୁଲଙ୍କୁ ପିଚ୍ ରୋଲର ଫେରାଇବାକୁ ପଡିବ ।
ସେପଟେ ଅସୋସିଏସନର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପରଭେଜ । ଜମ୍ମୁ-କଶ୍ମୀର ପାଇଁ ସେ ସବୁ କିଛି ତ୍ୟାଗ କରି ସାରିବା ପରେ ମଧ୍ୟ ବୋର୍ଡ ତରଫରୁ ତାଙ୍କୁ ଏପରି ବ୍ୟବହାର କରାଯାଉଥିବା ଏକ ସାକ୍ଷାତକାରରେ କହିଛନ୍ତି ରସୁଲ । ବିସିସିଆଇ ଦ୍ୱାରା ଜମ୍ମୁ-କାଶ୍ମୀର କ୍ରିକେଟ ଆସୋସିଏସନ ପାଇଁ ନିଯୁକ୍ତ ୩ ସଦସ୍ୟଙ୍କ ମଧ୍ୟରୁ ଅନିଲ ଗୁପ୍ତା କହିଛନ୍ତି ଯେ, ଘଟଣାକୁ ବଡ କରାଯାଉଛି । କେବଳ ପରଭେଜ ରସୁଲଙ୍କୁ ନୁହେଁ ସମସ୍ତ ଜିଲ୍ଲା ଆସୋସିଏସନକୁ ଚେତାବନୀ ଦେଇଛନ୍ତି । ଯେଉଁମାନେ ଆସୋସିଏସନର ସାମଗ୍ରୀ ନେଇଛନ୍ତି ସମସ୍ତଙ୍କୁ ଫେରାଇବାକୁ ହେବ । ଅଭିଯୋଗ ଥିବା ସମସ୍ତ ବ୍ୟକ୍ତିଙ୍କୁ ଚିଠି ଲେଖାଯାଇ ଏନେଇ ଅବଗତ କରାଯାଇଛି । ତେବେ ଏସବୁକୁ ନେଇ ମାନସିକ ଚିନ୍ତାରେ ପଡିଯାଇଛନ୍ତି ରସୁଲ ।