ନୂଆଦିଲ୍ଲୀ: ଋଷରେ ବୁଡ଼ିଗଲେ ମହାରାଷ୍ଟ୍ରର ଛାତ୍ର । ଭାରତରୁ ଋଷକୁ ପଢ଼ିବାକୁ ଯାଇଥିବା ଛାତ୍ରମାନେ ମୃତ୍ୟୁ ବରଣ କରିଛନ୍ତି। ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ସମସ୍ତ ଛାତ୍ର ଋଷର ଭେଲିକି ନୋଭଗୋରୋଡର ୟାରୋସ୍ଲାଭ-ଦି-ୱାଇଜ୍ ନୋଭଗୋରୋଡ ଷ୍ଟେଟ ୟୁନିଭରସିଟିରେ ଅଧ୍ୟୟନ କରୁଥିଲେ। ଏକ ଦୁର୍ଭାଗ୍ୟଜନକ ଘଟଣାରେ ଚାରି ଜଣ ଭାରତୀୟ ଛାତ୍ର ଭୋଲଖୋଭ ନଦୀରେ ବୁଡ଼ି ଯାଇଥିଲେ। ଏହି ଘଟଣାରେ ପଞ୍ଚମ ଭାରତୀୟ ଛାତ୍ର ବୁଡ଼ି ଯାଇ ଉଦ୍ଧାର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ରିପୋର୍ଟରେ କୁହାଯାଇଛି ଯେ ସେଣ୍ଟ ପିଟର୍ସବର୍ଗରେ ଅବସ୍ଥିତ ଆମର କନସୁଲେଟ୍ ବିଶ୍ୱବିଦ୍ୟାଳୟ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛି। ଏହି ପ୍ରସଙ୍ଗରେ ଭାରତୀୟ ଦୂତାବାସ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଉଛି। ପ୍ରକାଶ ଯେ, ନଦୀରେ ବୁଡ଼ିଯାଇଥିବା ଚାରିଜଣ ଛାତ୍ରଙ୍କ ମଧ୍ୟରୁ ସ୍ଥାନୀୟ ଜରୁରୀକାଳୀନ ସେବା ଏପର୍ୟ୍ୟନ୍ତ ଭୋଲକୋଭ ନଦୀରୁ ଦୁଇଟି ମୃତଦେହ ଉଦ୍ଧାର କରିଛି। ଅବଶିଷ୍ଟ ଦୁଇ ନିଖୋଜ ଛାତ୍ରଙ୍କ ସନ୍ଧାନ ଜାରି ରହିଛି। ଏହି ଘଟଣାରେ ଆହତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ବୈଦେଶିକ ମନ୍ତ୍ରଣାଳୟ। ଏହି ଦୁର୍ଘଟଣାରେ ସମ୍ପୃକ୍ତ ପାଞ୍ଚ ଜଣ ଛାତ୍ର ମହାରାଷ୍ଟ୍ରର ଜାଲଗାଓଁ ଜିଲ୍ଲାର।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ସେଣ୍ଟ ପିଟର୍ସବର୍ଗରେ ଥିବା ଆମର କନସୁଲେଟ୍ ଋଷର ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଶବକୁ ଭାରତ ଆଣିବା ପାଇଁ ଆଲୋଚନା କରୁଛି। ଋଷର ଭାରତୀୟ କନସୁଲେଟ୍ ଏହି ଘଟଣାରେ ସମ୍ପୃକ୍ତ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗରେ ଅଛି। ସ୍ଥାନୀୟ ଲୋକ ଜଣେ ଛାତ୍ରଙ୍କୁ ବୁଡ଼ିଯିବାରୁ ରକ୍ଷା କରିଛନ୍ତି।