ଭାରତର ୫୯% ଅଞ୍ଚଳକୁ ଭୂକମ୍ପ ଭୟ

0

ନୂଆଦିଲ୍ଲୀ: ଏକ ତଥ୍ୟରୁ ଜଣାପଡ଼ିଛି କି ଦେଶର ୫୯% ଅଞ୍ଚଳ ପ୍ରତି ଭୂକମ୍ପର ଭୟ ସର୍ବାଧିକ ରହିଛି। ଏହି ୫୯% ଅଞ୍ଚଳରେ ଭିନ୍ନଭିନ୍ନ ତୀବ୍ରତାର ଭୂକମ୍ପ ଅନୁଭୂତ ହେବାର ଆଶଙ୍କା ରହିଥିବା ସର୍ଭେରୁ ଜଣାପଡ଼ିଛି। ଭୂବିଜ୍ଞାନ ବିଭାଗର ମନ୍ତ୍ରୀ ଡା ଜିତେନ୍ଦ୍ର ସିଂହ ଲୋକସଭାରେ ଏପରି ତଥ୍ୟ ଦେଇଛନ୍ତି।
ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ କହିଛନ୍ତି, ନୂଆ ମ୍ୟାପ୍ରେ ଭାରତର ସମସ୍ତ ଅଞ୍ଚଳକୁ ଭୂକମ୍ପ ଦୃଷ୍ଟିକୋଣରୁ ୪ଟି ଜୋନରେ ବିଭକ୍ତ କରାଯାଇଛି। ଜୋନ୍ ଭିରେ ଭୂକମ୍ପର ଆଶଙ୍କା ସବୁଠାରୁ ଅଧିକ ଥିବା ବେଳେ ଜୋନ ୨ରେ ସାମାନ୍ୟ କମ ରହିଛି। ଜୋନ ଭିରେ ଦେଶର ୧୧% ଅଞ୍ଚଳରେ ଥିବା ବେଳେ ଜୋନ ଆଇଭିରେ ୧୮%, ଜୋନ ୩ରେ ୩୦% ଓ ବାକି ଅଞ୍ଚଳକୁ ଜୋନ ୨ରେ ରଖାଯାଇଛି। ଜୋନ ଭିରୁ ଜୋନ ୩ରେ ଥିବା ଅଞ୍ଚଳଗୁଡ଼ିକରେ ଭୂକମ୍ପ ଝଟକା ଅନୁଭୂତ ହେବାରୁ ଅଧିକ ଆଶଙ୍କା ରହିଛି। ବିଭିନ୍ନ ପ୍ରକାରର ଭୂତଳ ଚଳପ୍ରଚଳ ଓ ପୁରୁଣା ତଥ୍ୟକୁ ଆଧାର କରି କେଉଁ ଅଞ୍ଚଳ ପ୍ରତି ଭୂକମ୍ପର ଆଶଙ୍କା କେତେ ରହିଛି, ତା’କୁ ଚିହ୍ନଟ କରାଯାଇଛି।
ଏନଏସ୍ଏନ ପକ୍ଷରୁ ୧୧୫ ଜଣ ପର୍ୟ୍ୟବେକ୍ଷକଙ୍କୁ ଦେଶର ବିଭିନ୍ନ ପ୍ରାନ୍ତକୁ ପଠାଯାଇଛି ଭୂତଳ ଗତିବିଧିର ଯାଞ୍ଚ କରାଯାଇଥିଲା। ଏହାଦ୍ୱାରା ଯଦି କୌଣସି ସ୍ଥାନରେ ଭୂକମ୍ପ ହୁଏ, ଏହି ତଥ୍ୟ ଆଧାରରେ କେନ୍ଦ୍ର ଓ ରାଜ୍ୟର ବିପର୍ୟ୍ୟୟ ପ୍ରଶମନ ଟିମ୍ ନିଜକୁ ପ୍ରସ୍ତୁତ କରିପାରିବ ଏବଂ ଉଦ୍ଧାର କାର୍ୟ୍ୟ ଠିକ ଭାବେ କରାଯାଇପାରିବ। ସରକାର କହିଛନ୍ତି ୨୦୨୦ରେ ୩ କିମ୍ବା ତା’ ଠାରୁ ଅଧିକ ତୀବ୍ରତାର ୯୬୫ଟି ଭୂକମ୍ପ ରେକର୍ଡ କରାଯାଇଛି। ଏହା ମଧ୍ୟରୁ ୧୩ଟି ଏନସିଆର ଓ ଏହାର ଆଖପାଖ ଅଞ୍ଚଳରେ ଅନୁଭୂତ ହୋଇଥିଲା।
ସରକାର ଜୋନ ଭି ବା ସର୍ବାଧିକ ଭୂକମ୍ପ ଆଶଙ୍କା ଥିବା ଅଞ୍ଚଳଗୁଡ଼ିକର ତାଲିକାରେ ଶ୍ରୀନଗର, ସାଦିୟା, ପୋର୍ଟବ୍ଲେୟାର, ଦରଭଙ୍ଗା, ଗୌହାଟୀ, ତେଜପୁର, ମଣ୍ଡି, ଭୂଜ, କୋହିମା ଓ ଜୋରହଟକୁ ରଖିଛନ୍ତି। ଜୋନ ଆଇଭିରେ ପିଲିଭିଟ, ଶିମଲା, କୋଲକାତା, ଜଲପାଇଗୁଡ଼ି, ଅଲମୋରା, ମୋଙ୍ଗହୟର, ମୋରଦାବାଦ, ଲୁଧିଆନା, ପାଟନା, ବୁଲନ୍ଦଶହର, ଚଣ୍ଡିଗଡ଼, ଦାର୍ଜିଲିଂଙ୍ଗ, ଡେରାଡୁନ, ପ୍ରଙ୍ଗଣା, ଅମୃତସର, ବାହାରାଇଚ, ରୋରକୀ, ଅମ୍ବାଲା, ବାରାଉନି, ଦେଓରିଆ, ଦିଲ୍ଲୀ, ଦିନାଜପୁର, ଗାଜିଆବାଦ, ଗ୍ୟାଙ୍ଗଟକ ଓ ଗୋରଖପୁର ରହିଛି।