ବାଲି ବୋଝେଇ ହାଇୱା ଧକ୍କାରେ ସରପଞ୍ଚ ଆହତ ଘଟଣା: ହାଇୱାରେ ନିଆଁ ଲଗାଇଲେ ଉତ୍ୟକ୍ତ ଗ୍ରାମବାସୀ

0

ଗଞ୍ଜାମ/ ରଜନୀକାନ୍ତ ପାତ୍ର : ଗଞ୍ଜାମ ଜିଲ୍ଲାରେ ଚୋରା ବାଲି ଚାଲାଣକୁ ନେଇ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ହିଞ୍ଜିଳି ଥାନା ଇଲାକାରେ ପ୍ରବାହିତ ଋଷିକୂଲ୍ୟା ନଦୀରୁ ବେଆଇନ ଭାବେ ବାଲି ଚୋରା ଚାଲାଣକୁ କେନ୍ଦ୍ର କରି ବିଭିନ୍ନ ସମୟରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିବା ନଜିର ରହିଛି । ତେବେ ଗୁରୁବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ପିତଳ ନିକଟସ୍ଥ ସନ୍ତୋଷପୁର ଋଷିକୂଲ୍ୟା ନଦୀରୁ ବାଲି ଚାଲାଣ ସମୟରେ ଅପ୍ରିତିକର ପରିସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଗୁରୁବାର ରାତ୍ରୀରେ ପିତଳ ନିକଟସ୍ଥ ସନ୍ତୋଷପୁର ଋଷିକୂଲ୍ୟା ନଦୀରୁ ବାଲି ବୋଝେଇ କରି ଏକ ହାଇୱା ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ହିଞ୍ଜିଳି ଥାନା କାଞ୍ଜିଆମା ଛକରେ ତହଁର ସରପଞ୍ଚ ଶିବରାମ ମେହେଣଙ୍କୁ ଧକ୍କା ଦେଇଥିଲା । ବାଲି ବୋଝେଇ ହାଇୱା ଧକ୍କାରେ ସରପଞ୍ଚ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତ ସରପଞ୍ଚଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଦୂର୍ଘଟଣା ଘଟାଇ ବାଲି ବୋଝେଇ ହାଇୱାଟି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା । ପରେ ଉତ୍ୟକ୍ତ ଗ୍ରାମବାସୀ ଦୂର୍ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଅବରୋଧ କରିଥିଲେ । କିଛି ସମୟ ପରେ ସେହି ରାସ୍ତା ଦେଇ ଆସୁଥିବା ୨ଟି ବାଲି ବୋଝେଇ ହାଇୱା (ଓଡି୦୭ଏଆର ୬୭୨୧ ଓ ଓଡି୦୭ଏୟୁ ୫୦୫୫)କୁ ଅଟକାଇ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିଲେ । ଖବର ପାଇ ହିଞ୍ଜିଳିକାଟୁ ଅଗ୍ନିଶମ ବାହିନୀ  ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଏନେଇ ହିଞ୍ଜିଳି ପୁଲିସ ଘଟଣା  ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷରେ ଚୋରା ବାଲି ଚାଲାଣକୁ କେନ୍ଦ୍ର କରି ମାସିକିଆ ବଟି କାରବାରକୁ କେନ୍ଦ୍ର କରି କିଛି ବ୍ୟକ୍ତି ଏଭଳି କାଣ୍ଡ ଭିଆଇଥିବା ବାଲି ବୋଝେଇ ଗାଡି ଚାଳକଙ୍କ ଠାରୁ ସୂଚନା ମିଳିଛି  । ସ୍ଥାନୀୟ ଇଲାକାର ବିଭିନ୍ନ ନଦୀରୁ ବାଲି ଚୋରା ଚାଲାଣକୁ ବନ୍ଦ କରାନଗଲେ ଆଗାମୀ ଦିନରେ ଏକ ବଡ ଧରଣର ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବ, ଏହା ନିସନ୍ଦେହ ।

ପ୍ରକାଶ ଥାଉକି, ହିଞ୍ଜିଳି ଥାନା ଅଞ୍ଚଳରୁ ରାତି ଅଧିଆ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିଲେ ମଧ୍ୟ ପ୍ରଶାସନ ଜାଣିଶୁଣି ନିରବ ସାଜୁଥିବା ଅଭିଯୋଗ ହେଉଛି । ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି ମହଲରେ ଦାବି ହୋଇଛି ।