ନୂଆଦିଲ୍ଲୀ-: ‘ଅପରେସନ ସିନ୍ଦୂର’ରେ ପାକିସ୍ତାନ ଡରିକି ଛାନିଆ। ତେଣୁ ଭାରତର ମୁକାବିଲା କରିବାକୁ ଅସମର୍ଥ ଏହି ଦେଶ ଟାର୍ଗେଟ୍ କରୁଛି ଏଲଓସିରେ ରହୁଥିବା ସାଧାରଣ ନାଗରିକଙ୍କୁ । ପହଲଗାମ୍ ନରସଂହାର ପରେ ଭାରତ କାଳେ ଆକ୍ରମଣ କରିବ ସେହି ଭୟରେ ପାକିସ୍ତାନ ଯୁଦ୍ଧ ବିରତି ନମାନି ଗୁଳି ଚାଳନା ଜାରି ରଖିଥିଲା । ହେଲେ ଆଜି ସବୁ ସୀମା ପାର କରି ନିରୀହ ଲୋକଙ୍କୁ ମାରିଛି । ପାକିସ୍ତାନ ଯବାନମାନେ ଏଲଓସିରେ ଅନବରତ ଗୁଳି ଚାଳନା କରୁଛନ୍ତି । ଏହି ଗୁଳି ଚାଳନାରେ ୪ ଶିଶୁଙ୍କ ସମେତ ୧୫ ଭାରତୀୟଙ୍କ ମୃତ୍ୟୁ ହୋଇଛି ଏବଂ ୪୩ ଜଣ ଆହତ ହୋଇଛନ୍ତି । ନିୟନ୍ତ୍ରଣ ରେଖା ସଂଲଗ୍ନ ପୁଞ୍ଚ ଜିଲ୍ଲାର ସୀମାନ୍ତ ଗାଁ ଗୁଡିକରେ ପାକିସ୍ତାନର ଆକ୍ରମଣରେ ନିରୀହ ଲୋକରଙ୍କର ମୃତ୍ୟୁ ହୋଇଛି ।
ସୀମାରେ ପାକିସ୍ତାନ ପଟୁ ଗୁଳିବର୍ଷା ଜାରି ରହିଥିବାରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏଲ୍ଓସି ଏବଂ ଅନ୍ତର୍ଜାତୀୟ ସୀମା ନିକଟସ୍ଥ ଅଞ୍ଚଳରୁ ନାଗରିକମାନଙ୍କୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶାହ ବିଏସ୍ଏଫ୍ ଡିଜି ଦଲଜିତ ସିଂହ ଚୌଧାରୀ, ଜମ୍ମୁ କାଶ୍ମର ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସହ ଫୋନ୍ ମାଧ୍ୟମରେ ଲଗାତାର ଯୋଗାଯୋଗରେ ରହିଛନ୍ତି । ସୀମା ନିକଟସ୍ଥ ଅଞ୍ଚଳରୁ ଲୋକମାନଙ୍କୁ ତୁରନ୍ତ ଖାଲି କରିବାପାଇଁ ଶାହ ନିର୍ଦ୍ଦେଶ ଦେଇଛନ୍ତି । ନାଗରିକଙ୍କ ସୁରକ୍ଷାକୁ ଭାରତ ସର୍ବାଧିକ ପ୍ରାଥମିକତା ଦେଉଛି ବୋଲି ଶାହ କହିଛନ୍ତି ।