ଭୁବନେଶ୍ୱର: ଗତ ୯ ତାରିଖଠାରୁ କଳିଙ୍ଗ ଷ୍ଟାଡିୟମରେ ଚାଲି ଆସୁଥିବା ଚତୁଃରାଷ୍ଟ୍ରୀୟ ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ କପର ତୃତୀୟ ସଂସ୍କରଣ ଏବେ ଅନ୍ତିମ ପର୍ୟ୍ୟାୟରେ ପହଞ୍ଚିଛି।ରବିବାର ଟାଇଟଲ ପାଇଁ ଫାଇନାଲ ମୁକାବିଲାରେ ଭାରତ ଓ ଲେବାନନ ପରସ୍ପରକୁ ଭେଟିବେ। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ସନ୍ଧ୍ୟା ସାଢେ ୭ଟାରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଫାଇନାଲରେ ମୁହାଁମୁହିଁ ହେବେ ଆୟୋଜକ ଭାରତ ଓ ଲେବାନନ୍ । ଭାରତ ଫାଇନାଲ ପୂର୍ବରୁ ଜୋରଦାର ଅଭ୍ୟାସ କରିଛି । ଲେବାନନକୁ ହରାଇ ଚାମ୍ପିଅନ ହେବାକୁ କରିଛି ସ୍ବତନ୍ତ୍ର ରଣନୀତି । ଇଣ୍ଟରକଣ୍ଟିନେଣ୍ଟାଲ କପରେ ଭାରତ ୩ଟି ମ୍ୟାଚରୁ ୨ଟି ବିଜୟ ଓ ଗୋଟିଏରେ ଡ୍ର’ ରହି ଟେବୁଲରେ ଶୀର୍ଷରେ ରହିଛି । ଏହାସହ ପ୍ରତିଯୋଗିତାରେ ଅପରାଜେୟ ରହିଛି ଟିମ୍ ଇଣ୍ଡିଆ । ଅନ୍ୟପଟେ ଗୋଟିଏ ବିଜୟ ଓ ଦୁଇଟି ଡ୍ର’ ସହ ଲେବାନନ୍ ଟେବୁଲରେ ଦ୍ବିତୀୟରେ ରହି ଫାଇନାଲ ଟିକେଟ ହାତେଇଛି । ଫିଫା ମାନ୍ୟତାରେ ଭାରତ ୧୦୧ ଓ ଲେବାନନ ୯୯ତମ ସ୍ଥାନରେ ରହିଛି। ମାନ୍ୟତାର ଉଚ୍ଚ ସ୍ଥାନରେ ରହିଥିବାରୁ ଲେବାନନକୁ ହରାଇବା ପାଇଁ ଭାରତ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେବ।
ରାଉଣ୍ଡ ରବିନ ପର୍ୟ୍ୟାୟରେ ଭାରତ ୩ ମ୍ୟାଚ୍ ଖେଳି ୨ ବିଜୟ, ୧ ଡ୍ର ସହ ୭ ପଏଣ୍ଟ ପାଇ ତାଲିକା ଶୀର୍ଷରେ ଓ ଲେବାନନ ୩ ମ୍ୟାଚ୍ ଖେଳି ଗୋଟିଏ ବିଜୟ ଓ ୨ ଡ୍ର ସହ ୫ ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହି ଫାଇନାଲରେ ପ୍ରବେଶ କରିଥିଲା। କିନ୍ତୁ ଭାରତ ଓ ଲେବାନନ ଗ୍ରୁପ୍ ମ୍ୟାଚ୍ ଗୋଲ ଶୂନ୍ୟଭାବେ ଅମୀମାଂସିତ ରହିଥିଲା। ଭାରତ ପ୍ରଥମେ ୨-୦ ଗୋଲରେ ମଙ୍ଗୋଲିଆ, ୧-୦ ଗୋଲରେ ଭାନୁଆଟୁକୁ ପରାସ୍ତ କରିଥିଲା। ସେହିପରି ଲେବାନନ ପ୍ରଥମ ମ୍ୟାଚରେ ଭାନୁଆଟୁକୁ ୩-୧ ଗୋଲରେ ପରାସ୍ତ କରିଥିଲା ଓ ପରେ ମଙ୍ଗୋଲିଆ ଓ ଭାରତ ମ୍ୟାଚ୍କୁ ଗୋଲ ଶୂନ୍ୟଭାବେ ଡ୍ର ରଖିଥିଲା।