(ମମତା ସାମଲ)ରିପୋର୍ଟସଟୁଡେ: ୪୯ବର୍ଷ ପରେ ପୁନଃ ଆରମ୍ଭ ହେବ ରେକର୍ଡ ସଂଗ୍ରହ ଅଭିଯାନ । ଅଭିଲେଖ ଭାବେ ସାଇତା ହେବ ବହୁ ଗୁରୁତ୍ୱପୂର୍ଣ୍ଣ ରେକର୍ଡ । ଏନେଇ ସବୁ ସରକାରୀ ବିଭାଗକୁ ଚିଠି କରାଯିବ । ୧୯୭୦ ମସିହାରୁ ଅଟକିଥିବା ଏହି ଅଭିଯାନକୁ ପୁନଃ ଆରମ୍ଭ କରିବାକୁ ରାଜ୍ୟ ଅଭିଲେଖାଗାର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସଂପ୍ରତି ରାଜ୍ୟ ଅଭିଲେଖାଗାରରେ ୧୮୦୩ ମସିହା ଓ ଏହା ପରର ବହୁ ୁପାଦେୟ ,ବିରଳ,ଗୁରୁତ୍ୱପୂର୍ଣ୍ଣ ରେକର୍ଡ ମହଜୁଦ ଅଛି । ସମ୍ବାଦପତ୍ର, ପତ୍ରିକାକୁ ବାଦ୍ ଦେଲେ କେବଳ ୧୯୭୦ ମସିହା ପର୍ୟ୍ୟନ୍ତ ବହୁ ଦପ୍ତରର ରେକର୍ଡ ଅଭିଲେଖାଗାରରେ ସାଇତା ଯାଇଛି। ଏନେଇ ଅଭିଲେଖାଗାରର ଅଧୀକ୍ଷକ ଶୁଚିସ୍ମିତା ମନ୍ତ୍ରୀ କହିଛନ୍ତି, କୌଣସି ଦପ୍ତର ବା ସରକାରୀ କାର୍ୟ୍ୟାଳୟରେ କୌଣସି ସରକାରୀ ନଥିପତ୍ର ୩୦ବର୍ଷ ପର୍ୟ୍ୟନ୍ତ ସଂରକ୍ଷିତ ରଖାଯାଏ। ୩୦ବର୍ଷ ପରେ ଏଗୁଡ଼ିକୁ ନଷ୍ଟ କରି ଦିଆଯାଏ ନଚେତ୍ ଅଭିଲେଖାଗାରକୁ ଦିଆଯାଏ। ୧୯୭୦ପରଠୁ ଏପର୍ୟ୍ୟନ୍ତ ୪୯ବର୍ଷ ବିତି ଯାଇଥିବାରୁ ଦପ୍ତରମାନଙ୍କରେ ମହଜୁଦ ଥିବା ଗୁରୁତ୍ବପୂର୍ଣ୍ଣ, ବିରଳ ଓ ଆବଶ୍ୟକୀୟ ନଥି ତଥା ରେକର୍ଡ ସଂଗ୍ରହ କରାଯିବ। ଅଭିଲେଖାଗାରର ରେକର୍ଡ ମ୍ୟାନେଜମେଣ୍ଟ୍ ପଲିସି ଅନୁଯାୟୀ, ସେଇ ସବୁ ରେକର୍ଡଗୁଡ଼ିକୁ ସଂଗ୍ରହ ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀମତୀ ମନ୍ତ୍ରୀ କହିଛନ୍ତି। ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଅଭିଲେଖାଗାରରେ ଏକ ଫିଲ୍ମ ଅଭିଲେଖାଗାର ପ୍ରସ୍ତୁତ ହେବ। ଯେଉଁଠି ଓଡ଼ିଆ ଚଳଚ୍ଚିତ୍ର ସହ ଜଡ଼ିତ ପୋଷ୍ଟର, ଗ୍ରାମୋଫୋନ୍ ରେକର୍ଡ, ସଂଗୀତର ରେକର୍ଡ ଭଳି ସମସ୍ତ ପ୍ରକାରର ରେକର୍ଡକୁ ସାଇତାଯିବ।